
ଆମ ଦେଶରେ ମଦ ପିଇ ଗାଡ଼ି ଚାଳନା ଲାଗି କଡ଼ା ଆଇନଗତ ପ୍ରାବଧାନ ରହିଛି । ଏହା ସତ୍ତେ୍ୱ ଏପରି ମାମଲାର ସଂଖ୍ୟା କମୁନାହିଁ । ଏଭଳି ସ୍ଥଳରେ ଗୁଜରାଟର ଜଣେ ବ୍ୟକ୍ତି ମିଥିଲେଶ ପଟେଲ ପ୍ରଯୁକ୍ତି ଜରିଆରେ ଏହି ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିଛନ୍ତି । ସେ ଏକ ସ୍ୱତନ୍ତ୍ର ଡିଭାଇସ୍ ବିକଶିତ କରିଛନ୍ତି । ତାହା ମଦ ପିଇ ଗାଡ଼ି ଚାଳନାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ ଦାବି କରିଛନ୍ତି ।
ମିଥିଲେଶ ପୂର୍ବରୁ ସରକାରୀ କାର୍ଯ୍ୟାଳୟକୁ ମଦ ପିଇ ଆସୁଥିବା ଲୋକଙ୍କ ଚିହ୍ନଟ ଲାଗି ଏକ ଡିଭାଇସ୍ ବା ଯନ୍ତ୍ର ବନାଇଥିଲେ । ସେହି ପ୍ରଯୁକ୍ତିକୁ ଆହୁରି ଉନ୍ନତ କରି ତାକୁ ଏହି ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପ୍ରୋଟେକ୍ସନ୍ ଡିଭାଇସ୍ ‘କବଚ’ ରୂପ ଦେଇଛନ୍ତି । ତାଙ୍କ ଅନୁସାରେ, ଏହି ଯନ୍ତ୍ରକୁ ଗାଡି଼ରେ ଲଗାଯାଇପାରିବ । ଚାଳକ ମଦ ପିଇଥିଲେ ଏବଂ ଗାଡି଼ର ବେଗ ନିର୍ଦ୍ଧାରିତଠାରୁ ଅଧିକ ହେଲେ ଏହି ସିଷ୍ଟମ ଗାଡି଼କୁ ଇନ୍ଧନ ଯୋଗାଣ ବନ୍ଦ କରିଦେବ । ଫଳରେ ଇଞ୍ଜିନ୍ ବନ୍ଦ ହୋଇଯିବ । ଏଥିସହ ଏହା ପୁଲିସ କିମ୍ବା ଗାଡି଼ ମାଲିକଙ୍କୁ ଇ-ମେଲ୍ ଆଲର୍ଟ ପଠାଇବ । ସେହି ଇ-ମେଲ୍ରେ ଚାଳକଙ୍କ ଶରୀରରେ ଆଲ୍କୋହଲର ମାତ୍ରା ଉଲ୍ଲେଖ ରହିବ ।
ଏହା ସତ୍ତେ୍ୱ ଯଦି ଚାଳକ ଗାଡି଼ ଚାଳନା ଜାରି ରଖନ୍ତି ତେବେ ପ୍ରତି ୧୫ ସେକେଣ୍ଡରେ ‘କବଚ’ ତାଙ୍କ ଶରୀରରେ ଆଲ୍କୋହଲର ମାତ୍ରାକୁ ସ୍କାନ୍ କରିଚାଲିବ । ବ୍ୟକ୍ତି ଅଧିକ ମଦ ପିଇଥିଲେ ଗାଡି଼ର ୱିଣ୍ଡଶିଲ୍ଡ ନିକଟରେ ଲାଲ୍ ରଙ୍ଗର ଚେତାବନୀ ବତି ଜଳିଉଠିବ । ସେଥିଯୋଗୁ ଡ୍ୟୁଟିରେ ଥିବା ପୁଲିସକର୍ମୀ ସଜାଗ ହୋଇଯିବେ। ଚାଳକ କମ୍ ମାତ୍ରାରେ ମଦ ପିଇଥିଲେ ଏହା ହଳଦିଆ ରଙ୍ଗର ଚେତାବନୀ ଦେବ । ଏହି ‘କବଚ’କୁ ଡ୍ରୋନ୍ରେ ମଧ୍ୟ ସଂଯୋଗ କରାଯାଇପାରିବ ବୋଲି ମିଥିଲେଶ ପ୍ରକାଶ କରିଛନ୍ତି ।
