
କଟକ ତ୍ରିଶୂଳିଆ ବଜାରରେ ମଦ୍ୟପ କାର ଚାଳକଙ୍କ ଉନ୍ମତ୍ତକାଣ୍ଡ । ସିରିଜ ଦୁର୍ଘଟଣାରେ ୭ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ଓ ୩ ଜଣ ଆହତ। ଆହତଙ୍କ ମଧ୍ୟରେ ୪ବର୍ଷର ଶିଶୁ ମଧ୍ୟ ଅଛି । କାର ଚାଳକଙ୍କୁ ଅଟକ ରଖିଛି ପୋଲିସ । ସକାଳ ପ୍ରାୟ ୧୦ଟା ସମୟରେ ଘଟିଛି ଏହି ଦୁର୍ଘଟଣା ।
ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତ ଜଣକ ଦୃତ ଗତିରେ ପ୍ରଥମେ ଏକ କାରକୁ ଧକ୍କା ଦେଇଥିଲେ । କାରଟି ଏତେ ଯୋରରେ ଆସିଥିଲା ଯେ ନିକଟରେ ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ଥିବା ଗୋଟିଏ ବୁଲେଟ, ଦୁଇଟି ସ୍କୁଟି, ତିନିଟି ବାଇକକୁ ଧକ୍କା ଦେଇଥିଲା । ଏହି ସିରିଜ ଦୁର୍ଘଟଣାରେ କାର ଭିତରେ ଥିବା ଦୁଇ ଜଣ ମହିଳା ସମେତ ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ୪ ବର୍ଷର ଶିଶୁ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବାରଙ୍ଗ ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର, ବାଇକକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
