
ଦକ୍ଷିଣ-ପୂର୍ବ ଏସିଆରେ ବାତ୍ୟା ‘ସେନ୍ୟାର’ ଭୟାବହ ବିନାଶ ସୃଷ୍ଟି କରିଛି । ଓଡ଼ିଶା ଆଡ଼କୁ ମୁହାଁଇ ନଥିଲେ ମଧ୍ୟ, ଇଣ୍ଡୋନେସିଆ, ଥାଇଲାଣ୍ଡ ଏବଂ ମାଲେସିଆରେ ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ପ୍ରାୟ ୬୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିରେ ଇଣ୍ଡୋନେସିଆ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ଇଣ୍ଡୋନେସିଆରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ଅନେକ ଗାଁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି । ଏଯାବତ୍ ୪୪୨ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ, ୪୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ମୋଟ ୫୯,୬୬୦ ପରିବାର ଘରଦ୍ୱାର ହରାଇ ବାସହରା ହୋଇଛନ୍ତି । ରାସ୍ତାଘାଟ ଭାଙ୍ଗିଯାଇଥିବାରୁ ଉଦ୍ଧାର କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ବର୍ଷା ପ୍ରକୋପ କମାଇବା ପାଇଁ ଇଣ୍ଡୋନେସିଆର ରାଷ୍ଟ୍ରପତି କ୍ଲାଉଡ୍ ସିଡିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ, ଦକ୍ଷିଣ ଥାଇଲାଣ୍ଡରେ ବାତ୍ୟା ‘ସେନ୍ୟାର’ ତାଣ୍ଡବ ରଚିଛି । ଏଯାବତ୍ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତଦେହ ରଖିବା ପାଇଁ ଡାକ୍ତରଖାନାରେ ଜାଗା ଅଭାବରୁ ଫ୍ରିଜ୍ ଥିବା ଟ୍ରକ୍ ବ୍ୟବହାର କରାଯାଉଛି । ଛାତ ଉପରେ ଫସି ରହିଥିବା ଲୋକଙ୍କ ପାଖରେ ହେଲିକପ୍ଟର ଯୋଗେ ଖାଦ୍ୟ ପହଞ୍ଚାଯାଉଛି । ବନ୍ୟା ପରିସ୍ଥିତି ଏତେ ଗମ୍ଭୀର ଯେ, ୨୦୨୫ ସି-ଗେମ୍ସର ୧୧ଟି କାର୍ଯ୍ୟକ୍ରମକୁ ବ୍ୟାଙ୍କକ୍କୁ ସ୍ଥାନାନ୍ତର କରାଯାଇଛି ।
ମାଲେସିଆରେ ମୃତ୍ୟୁ ସଂଖ୍ୟା (୨) କମ୍ ଥିଲେ ମଧ୍ୟ, ବନ୍ୟା ଯୋଗୁଁ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଉତ୍ତର ମାଲେସିଆର ପରଲିସ୍ ପ୍ରଦେଶର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ, ୩୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରାସ୍ତାଘାଟ, ବ୍ରିଜ୍ ଏବଂ ଟେଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାରକାରୀ ଦଳଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।
