
ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ପନାଶିଆ ଗାଁରେ ଅଭାବନୀୟ ଘଟଣା । ଭିଣୋଇର ତଣ୍ଟି କାଟି ଶଳା ହତ୍ୟା କରିଥିବା ଘଟଣା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭିଣୋଇ ମିଥୁନ ବେହେରାର ମୃତଦେହ ଜବତ କରିଛି ପୁଲିସ । ଅନ୍ୟପଟେ ଶଳା କନେହି ବେହେରା ଫେରାର ହୋଇଯାଇଥିବା ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା କୋପିଣ୍ଡ ଗାଁର ମିଥୁନ ସସ୍ତ୍ରିକ ଯାଜପୁର ରୋଡ୍ର ପନାଶିଆଠାରେ ରହୁଥିଲେ । ଶୁକ୍ରବାର ମିଥୁନର ଶଳା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡପାଳ ଗାଁର କନେହିଁ ଭଉଣୀ ଘରକୁ ଆସିଥିଲେ । ରାତି ପ୍ରାୟ ୩ଟା ବେଳେ ଭିଣୋଇକୁ ହାଣ୍ଡିଆ ପିଇବା ପାଇଁ ପାଖରେ ଥିବା ହାଣ୍ଡିଆ ବସ୍ତିକୁ ଡାକି ନେଇଥିଲେ । ମାତ୍ର କେଇ ମିନିଟ୍ ଭିତରେ ମିଥୁନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପହଞ୍ଚି ତଳେ ପଡ଼ିଯାଇଥିଲେ । ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ବେକ ଏବଂ ଗୁପ୍ତାଙ୍ଗକୁ କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିଲା । ପୁଲିସ ଖବର ପାଇ ପନାଶିଆରେ ପହଞ୍ଚି ଫେରାର କନେହିଁକୁ ଖୋଜାଖୋଜି କରୁଥିବା ଜଣାପଡ଼ିଛି । ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରୁ ଏକ ବ୍ଲେଡ୍ ଜବତ କରିଛି । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପୁଲିସ ହତ୍ୟାର କାରଣ ଖୋଜୁଛି ।
