
ନିଜର ଯାଦୁକରୀ କଣ୍ଠସ୍ୱରରେ କୋଟି କୋଟି ହୃଦୟକୁ ଜିଣିଥିବା ବଲିଉଡର ସେନସେସନାଲ ସିଙ୍ଗର ଅରଜିତ୍ ସିଂ ଏବେ ଚର୍ଚ୍ଚାରେ । କେବଳ ତାଙ୍କ ଗୀତ ପାଇଁ ନୁହେଁ, ବରଂ ନିକଟରେ ସେ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି । ପ୍ଲେବ୍ୟାକ୍ ସିଙ୍ଗିଂରୁ ସେ ଅବସର ନେବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି, ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ମର୍ମାହତ କରିଛି ।
ଲାଇମଲାଇଟ୍ଠାରୁ ଦୂରରେ ରହିବାକୁ ଭଲ ପାଉଥିବା ଅରଜିତ୍ ସିଂଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ୍ ଉତ୍ଥାନ-ପତନ ଦେଇ ଗତି କରିଛି । ଖୁବ୍ କମ୍ ଲୋକ ଜାଣନ୍ତି ଯେ ଅରଜିତ୍ ଦୁଇଟି ବିବାହ କରିଛନ୍ତି । ୨୦ ଜାନୁଆରୀ ତାଙ୍କ ଜୀବନର ଏକ ସ୍ମରଣୀୟ ଦିନ, ଯେଉଁଦିନ ସେ ନିଜ ପିଲାଦିନର ସାଙ୍ଗ କୋଏଲ୍ ରାୟଙ୍କ ହାତ ଧରିଥିଲେ । କିନ୍ତୁ କୋଏଲ୍ଙ୍କ ପୂର୍ବରୁ ଅରଜିତ୍ଙ୍କ ଜୀବନରେ ଆଉ ଜଣେ ଆସିଥିଲେ ।
ଅରଜିତ୍ ସିଂଙ୍କ କ୍ୟାରିଅର୍ ୨୦୦୫ ମସିହାରେ ରିଆଲିଟି ଶୋ’ ‘ଫେମ୍ ଗୁରୁକୁଲ’ରୁ ଆରମ୍ଭ ହୋଇଥିଲା । ସେହି ଷ୍ଟେଜ୍ରେ ତାଙ୍କର ଦେଖା ହୋଇଥିଲା ସହ-ପ୍ରତିଯୋଗୀ ରୁପରେଖା ବାନାର୍ଜୀଙ୍କ ସହ । ସେଠାରୁ ଆରମ୍ଭ ହୋଇଥିବା ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଏବଂ ଉଭୟ ବିବାହ କରିଥିଲେ । କିନ୍ତୁ ଭାଗ୍ୟର ଖେଳ କିଛି ଅଲଗା ଥିଲା । ଅଳ୍ପ ଦିନ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଉଭୟ ଡିଭୋର୍ସ ନେଇଥିଲେ । ଏହି ବିଚ୍ଛେଦ ଅରଜିତ୍ଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ।
ପ୍ରଥମ ବିବାହ ବିଫଳ ହେବା ପରେ ଅରଜିତ୍ ପୁଣି ଥରେ ନିଜ ପିଲାଦିନର ସାଙ୍ଗ କୋଏଲ୍ ରାୟଙ୍କ ସମ୍ପର୍କରେ ଆସିଥିଲେ । କୋଏଲ୍ ମଧ୍ୟ ସେତେବେଳେ ଜଣେ ଛାଡପତ୍ର ପ୍ରାପ୍ତ ମହିଳା ଥିଲେ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଥିଲା । ମାତ୍ର ସବୁ ଅତୀତକୁ ଭୁଲି ଅରଜିତ୍ କୋଏଲ୍ଙ୍କୁ ଆପଣେଇ ନେଇଥିଲେ । ଆଜି ଅରଜିତ୍ ଏବଂ କୋଏଲ୍ ସେମାନଙ୍କର ତିନି ସନ୍ତାନଙ୍କ ସହ ଏକ ଖୁସିର ସଂସାର ଗଢ଼ିଛନ୍ତି ।
ସାଧାରଣ ଜୀବନଶୈଳୀ ପାଇଁ ଜଣାଶୁଣା ଅରଜିତ୍ ଏବେ ନିଜ କ୍ୟାରିଅରକୁ ନେଇ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
