
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ନିକଟ ବୈତରଣୀ ନଦୀରେ ଫସିଛନ୍ତି ହାତୀପଲ। ଶନିବାର ସକାଳେ ୩୦ ଟିକିଆ ହାତୀପଲ ନଦୀ ଭିତରେ ଥିବା ଟାପୁରେ ଫସି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ବନବିଭାଗ ପହଞ୍ଚି ହାତୀପଲକୁ ଜଗି ରହିଛନ୍ତି।
ସୂଚନାନୁଯାୟୀ, ଏକ ୩୦ ଟିକିଆ ହାତୀପଲ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଗତକାଲି ଦିନ ତମାମ ନିହ୍ନୁଆ ଜଙ୍ଗଲରେ ଡେରା ପକାଇଥିଲେ। ସନ୍ଧ୍ୟାରେ ହାତୀପଲ ଜଙ୍ଗଲରୁ ବାହାରି ଝାରବେଡ଼ା ଦେଇ ୪୯ ନମ୍ଵର ଜାତୀୟ ରାଜପଥ ପାର୍ ହୋଇ ତ୍ରୀବିନ୍ଧା ଗ୍ରାମରେ ପଶିଥିଲେ। ସେଠାରୁ ବିଳମ୍ବିତ ରାତିରେ ବୈତରଣୀ ନଦୀ ପାର ହେଉଥିବା ବେଳେ ହାତୀପଲ ନଦୀ ଭିତରେ ଥିବା ଏକ ଟାପୁରେ ଫସି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ବନବିଭାଗ ପହଞ୍ଚି ହାତୀପଲକୁ ଜଗି ରହିଛନ୍ତି। ଏହି ପଲରେ ୧୧ଟି ବଡ଼ ହାତୀ, ୧୨ଟି ମାଈ ହାତୀ, ୭ଟି ଛୁଆ ହାତୀ ଥିବା ଜଣାପଡିଛି। ହାତୀଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଜମୁଛି।
