
କଲେଜ ଛାତ୍ରଙ୍କଠାରୁ ଲୁଟିନେଲେ ଦୁର୍ବୁତ୍ତ। ବେକରେ ଛୁରୀ ଲଗାଇ ମୋବାଇଲ, ଏଟିଏମ କାର୍ଡ ସମେତ ୩ହଜାର ଟଙ୍କା ଲୁଟିନେଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ବାଲିପଦା ଠାରେ।
ଛାତ୍ର ଜଣଙ୍କ ନାଁ ସୁବ୍ରତ ଓଝା। ସେ ଚିତୋଳ ମହାବିଦ୍ୟାଳୟର +୨ କଳା ବିଭାଗର ୨ୟ ବର୍ଷରେ ଛାତ୍ର । ଆଜି ସକାଳ ସାଢେ ୧୦ଟା ସମୟରେ ସେ ସାଇକେଲରେ ପରୀକ୍ଷା ଦେବାକୁ କଲେଜ ଯାଉଥିଲେ। ଏହି ସମୟରେ ବାଲିପଦା ଛକ ଠାରୁ ଚିତୋଳ ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ନାୟକ ସାହି ରାସ୍ତା ନିକଟରେ ହଠାତ୍ ୨ ଜଣ ଦୁର୍ବୁର୍ତ୍ତ ତାଙ୍କୁ ଅଟକାଇଥିଲେ। ସୁବ୍ରତଙ୍କ ବେକରେ ଧାରୁଆ ଛୁରୀ ଲଗାଇ ଗୋଟିଏ ମୋବାଇଲ, ଏଟିଏମ କାର୍ଡ ଏବଂ ୩ହଜାର ଟଙ୍କା ନେଇ ରାସ୍ତା ପାର୍ଶ୍ଵ ଅକରପଡା ପଞ୍ଚାୟତ ବଡ଼ ଦୋଗଡା ଗ୍ରାମ ଭିତରକୁ ଦୌଡ଼ି ପଳାଇ ଯାଇଥିଲେ। ଛାତ୍ରଜଣଙ୍କ ପାଟି ଶୁଣି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ୨ ଲୁଟେରାଙ୍କୁ ପିଛା କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିନଥିଲା। ଏ ସମ୍ପର୍କରେ ସୁବ୍ରତଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷ ଏବଂ ଚିତୋଳ ପୁଲିସ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
