
ସୁନ୍ଦରଗଡ ସହରରେ ଥିବା ଏକ ବାଣ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି । ରାଜଗାଙ୍ଗପୁର ପୁଲିସ ସହରର ବଗିଚାପଡ଼ାରେ ଚଢଉ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି।
ସୂଚନା ମୁତାବକ, ସହରରେ ବେଆଇନ ବାଣ ମହଜୁଦ ରଖାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ରାଜଗାଙ୍ଗପୁର ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ ବିଜୟ କିଶୋର ଦାଶ ବଗିଚାପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଗୋଦାମରେ ଚଢଉ କରିଥିଲେ । ସେଠାରେ ବିକ୍ରି ପାଇଁ ରଖାଯାଇଥିବା ବିଭିନ୍ନ ପ୍ରକାରର ବାଣ ଜବତ କରିଥିଲେ। ଜବତ ବାଣର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି । ବିନା ଲାଇସେନ୍ସରେ ବେଆଇନ ବାଣ ବିକ୍ରି କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
