
ଦ୍ରୁତ ଗତିରେ ବୁଢ଼ା ହେଉଛି ଭାରତ । ୨୦୧୧ରେ ଦେଶରେ ୬୦ ବର୍ଷରୁ ତଦୁର୍ଦ୍ଧ୍ଵ ବୟସ୍କ ଲୋକଙ୍କ ସଂଖ୍ୟା ୧୦.୧୬ କୋଟି ଥିଲା । ୨୦୩୬ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୨୨.୭୪ କୋଟି ହେବ । ଅର୍ଥାତ୍ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାରେ ୮.୪%ରୁ ବଢ଼ି ୧୪.୯% ରେ ପହଞ୍ଚିଯିବ । ଫଳରେ ଦେଶରେ ପ୍ରତି ୭ ଜଣରେ ଜଣେ ବରିଷ୍ଠ ନାଗରିକ ହେବେ । ୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୩ କୋଟିରେ ପହଞ୍ଚିବ । କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି ।
ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଭାରତରେ ଯେଉଁଭଳି ଗତିରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ୁଛି, ଏହାଦ୍ୱାରା ସ୍ୱାସ୍ଥ୍ୟ ସେବା, ସାମାଜିକ ସୁରକ୍ଷା, ଆର୍ଥିକ ନିର୍ଭରଶୀଳତା ଏବଂ ଡିଜିଟାଲ ସୁବିଧାର ଉପଯୋଗ ଭଳି ଆହ୍ୱାନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତାଙ୍କ ମୁତାବକ, ବରିଷ୍ଠଙ୍କ ସଂଖ୍ୟା ବଢ଼ିବା ଯୋଗୁ ପରିବାରର ଢାଞ୍ଚା ଏବଂ ସମ୍ପର୍କର ତରିକା ମଧ୍ୟ ବଦଳୁଛି । ପୂର୍ବରୁ ଅଧିକାଂଶ ଲୋକ ଯୌଥ ପରିବାରରେ ରହୁଥିଲେ । ଫଳରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅସୁବିଧା ହେଉ ନ ଥିଲା । ଏବେ ଛୋଟ ପରିବାର ବଢ଼ିବାରେ ଲାଗିଛି । ଫଳରେ ବରିଷ୍ଠ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ତରିକା ବଦଳି ଯାଇଛି ।
ନୂଆ ରିପୋର୍ଟରେ ଏହାକୁ ‘ବିରୋଧାଭାସ’ କୁହାଯାଇଛି । ଅର୍ଥାତ୍ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ୁଛି ସତ । କିନ୍ତୁ ସମାଜର ଭାବନା, ଦାୟିତ୍ୱ ଏବଂ ବୃଦ୍ଧବୃଦ୍ଧାଙ୍କ ଯତ୍ନକୁ ନେଇ ଆଶା ଆଉ ଆଗ ଭଳି ରହିନାହିଁ । ଏହାର ସିଧାସଳଖ ପ୍ରଭାବ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନ ଉପରେ ପଡୁଛି । ମନ୍ତ୍ରୀ ନିତ୍ୟାନନ୍ଦ କହିଛନ୍ତି, ଦେଶରେ ବର୍ଦ୍ଧିତ ବରିଷ୍ଠଙ୍କ ସଂଖ୍ୟା ଯୋଗୁ ସରକାର ଓ ସମାଜ ସାମ୍ନାରେ ନୂଆ ଦାୟିତ୍ୱ ବଢ଼ିଯାଇଛି । ତେବେ ଆମ ସରକାର ଏଥିପ୍ରତି ସଜାଗ ରହିଛନ୍ତି । ତାଙ୍କ ମୁତାବକ, ବରିଷ୍ଠ ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ୨୦୨୧ ଏପ୍ରିଲ ୧ରୁ ଅଟଳ ବୟୋ ଅଭ୍ୟୁଦୟ ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନାରେ ସମଗ୍ର ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା ଓ ସେବା ଉପଲବ୍ଧ କରାଯାଉଛି ।
