
ପତ୍ର ତୋଳିବାକୁ ଯିବା ବେଳେ ଆକ୍ରମଣ କଲା ଭାଲୁ। ଚାଲିଗଲା ବୃଦ୍ଧାଙ୍କ ଜୀବନ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ମୁଣ୍ଡାଗୁଡା ଗ୍ରାମର ମିଟିକି ଅମନାତ୍ୟ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମର ମିଟିକି ଅମନାତ୍ୟ ମଙ୍ଗଳବାର ସକାଳ ପ୍ରାୟ ୬ଟା ବେଳେ ଗାଁର ଅନ୍ୟମାନଙ୍କ ସହ ପତ୍ର ତୋଳିବାକୁ ଯାଇଥିଲେ। ଏତିକି ବେଳେ ବୋରିଗୁମ୍ମା ବିସିଂହପୁର ମୁଖ୍ୟ ରାସ୍ତାରେ ଏକ ଭାଲୁ ତାଙ୍କୁ ଗୋଡ଼ାଇଥିଲା। ସମସ୍ତେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇଥିଲେ। ହେଲେ ମିଟିକି ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁଟି ବିଚ୍ ରାସ୍ତାରେ ବୃଦ୍ଧାଙ୍କୁ ମାରି ଦେଇଥିଲା। ପ୍ରକାଶ ଥାଉକି ଉକ୍ତ ଭାଲୁଟି ଏହା ପୂର୍ବରୁ ଅନେକ ଜଣଙ୍କୁ ଆକ୍ରମଣ କରିଛି। ଫଳରେ ଭାଲୁଟିକୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

