
ଓମଫେଡ ପାର୍ଲର, ଭେଣ୍ଡିଂ ଜୋନ୍ରେ ଗୁଟ୍ଖା ମନା । ସରକାରଙ୍କ ନିର୍ଦ୍ଦେଶ ପରେ ନୂଆ କଟକଣା ଜାରି କରିଛି ବିଏମସି । ରାଜ୍ୟରେ ଗୁଟ୍ଖା ବିକ୍ରି ଉପରେ କଟକଣା ଲାଗୁ ପରେ ବିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମେୟରଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କର୍ପୋରେସନ ବୈଠକରେ ଗୁଟଖା ବିକ୍ରି ନିଷେଧ ଉପରେ ଆଲୋଚନା ହୋଇଥିଲା ।
ବିଏମ୍ସି ପକ୍ଷରୁ ସହରରେ ଏନ୍ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ । ବୈଠକରେ ଗୁଟଖା ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରାଯିବା ଲାଗି ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ଉପରେ କର୍ପୋରେସନ ମୋହର ବାଜିଛି । ବିଏମ୍ସି ସ୍ୱୀକୃତିପ୍ରାପ୍ତ ସମସ୍ତ ଓମ୍ଫେଡ୍ ପାର୍ଲର ଏବଂ ଭେଣ୍ଡିଂ ଜୋନ୍ରେ ଗୁଟ୍ଖା ବିକ୍ରିକୁ ନିଷେଧ କରାଯାଇଛି । ବିଏମ୍ସି ପକ୍ଷରୁ ଏନ୍ଫୋର୍ସମେଣ୍ଟ ଟିମ୍ ଏସବୁ ସ୍ଥାନରେ ଚଢ଼ଉ କରି ଯାଞ୍ଚ କରିବ । ରାଜଧାନୀର ୩ଟି ଜୋନାଲ ଅଧିକାରୀ ଏହାର ତଦାରଖ କରିବେ । ସେହିପରି ସହରର ସମସ୍ତ ଭେଣ୍ଡିଂ ଜୋନ୍ ଏବଂ ଓମ୍ଫେଡ ଷ୍ଟଲ, ପାନ ଦୋକାନକୁ ଏହି ପ୍ରବର୍ତ୍ତନକାରୀ ଦଳ ଯାଞ୍ଚ କରିବେ । ଯେଉଁ ଦୋକାନରୁ ଗୁଟ୍ଖା ବାହାରିବ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ । ଏହା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ବିଏମ୍ସି ଅଞ୍ଚଳ ଗୁଟଖା ପ୍ରଚାର ଲାଗି ଲଗାଯାଇଥିବା ହୋର୍ଡିଂଗୁଡ଼ିକୁ ହଟାଇ ଦିଆଯିବ । ଯଦି କୌଣସି ଏଜେନ୍ସି ଗୁଟ୍ଖା ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।
