
ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ ଝିଅ ସ୍ୱାଗତିକା , ସମାଜକୁ ଦେଲେ ନୂଆ ସନ୍ଦେଶ
ସମାଜର ପୁରୁଣା ଧାରଣାକୁ ଭାଙ୍ଗି ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଝିଅ ସ୍ଵାଗତିକା ସାମନ୍ତରାୟ। ବାପାଙ୍କ ମୃତ୍ୟୁ ପରେ ଶ୍ମଶାନରେ ମୁଖାଗ୍ନି ଦେଇ ସେ କେବଳ ପରିବାରର ଦାୟିତ୍ୱ ପୂରଣ କରିନାହାନ୍ତି, ବରଂ ସମାଜକୁ ଦେଇଛନ୍ତି ଏକ ଶକ୍ତ ଓ ସକାରାତ୍ମକ ସନ୍ଦେଶ। ଏହି ଘଟଣା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଘଟିଥିବାରୁ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା, ପୂର୍ବତନ ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ଗଙ୍ଗାଧର ସାମନ୍ତରାୟଙ୍କ ଦେହାନ୍ତ ପରେ ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଗର୍ବର ଅନୁଭୂତି ଦେଇଛି। ଘରେ କୌଣସି ପୁଅ ନଥିବାରୁ ସାନ ଝିଅ ସ୍ଵାଗତିକା ସାମନ୍ତରାୟ ଶ୍ମଶାନକୁ ଯାଇ ବାପାଙ୍କୁ ମୁଖାଗ୍ନି ଦେଇଥିଲେ।
ସ୍ବର୍ଗତ ଗଙ୍ଗାଧର ସାମନ୍ତରାୟ ସମାଜରେ ଲିଙ୍ଗଭେଦର ବିରୋଧୀ ଥିଲେ। ପୁଅ ଓ ଝିଅ ମଧ୍ୟରେ କେବେ ମଧ୍ୟ ଅନ୍ତର ଦେଖୁନଥିଲେ। ସେ ଜୀବନକାଳରେ ହିଁ ପରିବାରକୁ ସ୍ପଷ୍ଟ କରିଥିଲେ ଯେ, ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ମୁଖାଗ୍ନି ଦେବେ। ବାପାଙ୍କ ଏହି ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ସ୍ଵାଗତିକା ଆଜି ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି।
ଏହି ଘଟଣାର ଖବର ପାଇ ବହୁ ବରିଷ୍ଠ ନେତା ଓ ବ୍ୟକ୍ତିବିଶେଷ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ସମେତ ବିଜେପିର ଅନେକ ନେତା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଘଟଣା କେବଳ ଏକ ପରିବାରର କାହାଣୀ ନୁହେଁ, ବରଂ ସମାଜର ଚିନ୍ତାଧାରାକୁ ପରିବର୍ତ୍ତନ କରିବାର ଏକ ଶକ୍ତ ଉଦାହରଣ। ଝିଅମାନେ କୌଣସି କ୍ଷେତ୍ରରେ ପଛରେ ନୁହନ୍ତି—ଏହି ବାର୍ତ୍ତା ଦେଇଛି ସ୍ଵାଗତିକାଙ୍କ ସାହସିକ ପଦକ୍ଷେପ।
