
ତେଲ ବୋଝେଇ ଟ୍ୟାଙ୍କର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ତାରା ସିଂ ଥାନା ଗାଲେରୀ ନିକଟ ରଙ୍ଗା ମେରୁ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋମବାର ସକାଳ ପ୍ରାୟ ୧୦ଟାରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ସୋରିଷମୂଳି ଗ୍ରାମର ସୁବାସ ନାୟକଙ୍କ ପୁଅ ରାଜେଶ ନାୟକ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ସୋମବାର ସକାଳୁ ରାଜେଶ ନାୟକ ଗାଲେରୀ ଏଟିଏମ୍ରୁ ଟଙ୍କା ଉଠାଇବାକୁ ଯାଇ ଘରକୁ ଫେରୁଥିଲେ। ମେଗା ଜଳ ପ୍ରକଳ୍ପ ଢୋଲପିଟା ବ୍ରିଜ୍ ତଳେ ଏକ ତେଲ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ବଦାଙ୍ଗୀ ନିକଟରେ ଲୋକମାନେ ଡ୍ରାଇଭର୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗାଲେରୀ ଫାଣ୍ଡି ଅଧିକାରୀ ମଧୁବାବୁ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛନ୍ତି। ମେଡିକାଲରେ ମୃତକଙ୍କ ପରିଜନ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
