
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଟଗାଁ ପଞ୍ଚାୟତ ଝାଞ୍ଜିରିବେରେଣା ଗାଁରେ ବନ୍ଦ କୋଠରୀ ଭିତରୁ ୩ ଜଣଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ରହିଛନ୍ତି। ମୃତକ ଜଣଙ୍କ ଝାଞ୍ଜିରିବେରେଣା ଗାଁର ଲକ୍ଷ୍ମଣ ମୁର୍ମୁ। ସ୍ତ୍ରୀ ଫୁଲ ମୁର୍ମୁ ଏବଂ ଝିଅ ସୁଲୋଚନା ମୁର୍ମୁ ସଂକଟାପନ୍ନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିଷାକ୍ତ ଖାଦ୍ୟ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ସେପଟେ କାମାକ୍ଷାନଗର ମେଡିକାଲରେ ଜୀବନ ମରଣ ସହିତ ଲଢେଇ କରୁଛନ୍ତି ମାଆ ଓ ଝିଅ। ସୂଚନା ଅନୁସାରେ, ପରିବାରର ସମସ୍ତେ ରାତିରେ ଖାଇ ପିଇ ଶୋଇବାକୁ ଯାଇଥିଲେ। ତେବେ ସକାଳୁ ଘର କବାଟ ବନ୍ଦ ଥିବା ନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ଜାତ ହୋଇଥିଲା। ତେବେ ଗ୍ରାମବାସୀଙ୍କ ସହଯୋଗରେ ବହୁ କଷ୍ଟରେ ୩ ଜଣଙ୍କୁ ବନ୍ଦ କୋଠରୀ ଭିତରୁ ଉଦ୍ଧାର କରାଯାଇଥିଲା। ତେବେ କାମାକ୍ଷାନଗର ମେଡିକାଲରେ ଲକ୍ଷ୍ମଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସେପଟେ ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଥିଲେ, ତେବେ ବିଷାକ୍ତ ଖାଦ୍ୟ କାରଣରୁ ମୃତ୍ୟୁ ହୋଇଥିବା ନେଇ ଏସଡିଏମଓ ଡାକ୍ତର ଦିଗାମ୍ବର ସାହୁ ପ୍ରକାଶ କରିଛନ୍ତି।

