
ଅକ୍ଟୋବରରେ ବଢ଼ିଲା ବାତ୍ୟା ଭୟ ! ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା ! ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବା ନେଇ ଆଶଙ୍କା ରହିଛି। ଏ ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ ।
ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ଏହା ୨୫ ତାରିଖ ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି । ସେହିପରି୨୬ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏହା ଅଧିକ ଘନୀଭୂତ ହୋଇ ୨୭ ତାରିଖ ବେଳକୁ ନେଇ ପାରେ ବାତ୍ୟା ରୂପ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏବେ ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ଏହା ୩ କି.ମି. ବେଗରେ ଗତି କରୁଛି । ଅକ୍ଟୋବରରେ ବାତ୍ୟା ଆସୁଥିବାରୁ ଲୋକଙ୍କ ମନରେ ଛାନିଆ ପସିଛି । ସେପଟେ ଆଇଏମଡିର ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ରାଜ୍ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ରିଲିଫ୍ ସାମଗ୍ରୀ ମହଜୁତ ରଖିବାକୁ କୁହାଯାଇଛି । ଏହା ସହିତ ବାତ୍ୟା ଅଶ୍ରୟସ୍ଥଳୀ ଗୁଡ଼ିକ ପ୍ରସ୍ତୁତ ରଖିବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ପ୍ରଚୁର ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁତ ରହିଛି । ଡାକ୍ତରୀ ଟିମ୍ ସହିତ ଔଷଧ ସାମଗ୍ରୀ ଗଚ୍ଛିତ ରହିଛି । ଆବଶ୍ୟକ ପଡ଼ିଲେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଚନ୍ତି । ଏହାଛଡ଼ା ବାତ୍ୟାକୁ ନେଇ ଗୁଜବ ଠାରୁ ଦୂରେଇ ରହିବାକୁ କୁହାଯାଇଛି ।
