
ବଜାରରେ ବଢ଼ିଛି ଅଣ୍ଡାଦର । ଗୋଟା ୭ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ଦର ବଢ଼ିବା ପରେ ସାଧାରଣ ଖାଉଟିଙ୍କ ସହ ସ୍କୁଲର ମଧ୍ୟାହ୍ନଭୋଜନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଷମ ଖାଦ୍ୟ ଯୋଗାଣ ପ୍ରଭାବିତ ହୋଇଛି । ଅନ୍ୟପକ୍ଷରେ ଦୁଇ ବର୍ଷ ହେଲା ଜିଲ୍ଲାରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଥିଲେ ବି ତାହା ଯଥେଷ୍ଟ ନୁହେଁ । ଫଳରେ ଏବେବି ଅଣ୍ଡା ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି । ଏକ ଗବେଷଣା ସଂସ୍ଥାର ପରିସଂଖ୍ୟାନ ଦୃଷ୍ଟିରୁ ଜିଲ୍ଲା ଓ ରାଜ୍ୟର ଜନସଂଖ୍ୟା ତୁଳନାରେ ଅଣ୍ଡାର ଚାହିଦା ରହିଛି । ବର୍ଷକୁ ଜଣେ ବ୍ୟକ୍ତି ପିଛା ୧୮୦ଟି ଅଣ୍ଡା ଆବଶ୍ୟକତା ରହିଛି । କିନ୍ତୁ, ଜନସଂଖ୍ୟା ତୁଳନାରେ ଓଡ଼ିଶାରେ ଜଣେ ବ୍ୟକ୍ତି ପିଛା ବାର୍ଷିକ ୭୦ଟି ଅଣ୍ଡା ଉତ୍ପାଦନ ହୋଇପାରୁଛି । ଓଡ଼ିଶା ଅଣ୍ଡା ଉତ୍ପାଦନ ରାଜ୍ୟ ମଧ୍ୟରେ ପଛରେ ପଡ଼ିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଜନସଂଖ୍ୟା ଦୃଷ୍ଟି କୋଣରୁ ଜଣେ ବ୍ୟକ୍ତି ପାଇଁ ମାତ୍ର ୧୫ଟି ଅଣ୍ଡା ଉତ୍ପାଦନ ହୋଇପାରୁଛି ।
ଅଣ୍ଡା ଦର ବଢ଼ିବା ପରେ ସ୍କୁଲରେ ମଧ୍ୟାହ୍ନଭୋଜନ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଷମ ଖାଦ୍ୟ ଯୋଗାଣରେ ପ୍ରଭାବିତ ହୋଇଛି । ନୂଆ ସରକାର ଆସିବା ପରେ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ପିଲା ପିଛା ୧୧ ଟଙ୍କା ୧୫ ପଇସା ଓ ଉଚ୍ଚପ୍ରାଥମିକରୁ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପିଲା ପିଛା ୧୪ଟଙ୍କା ୭୪ ପଇସା ବୃଦ୍ଧି କରାଯାଇଛି । ଏଥିରେ ଅଣ୍ଡା, ପନିପିରିବା, ଡାଲି, ତେଲ, ଲୁଣ ଖର୍ଚ୍ଚ ହେଉଛି । ସେହିପରି ଅଙ୍ଗନବାଡି କେନ୍ଦ୍ରରେ ଜଣେ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ପିଛା ୭ ଟଙ୍କା ୭୦ ପଇସାରୁ ୯ ଟଙ୍କା ୭୦ ପଇସା ରହିଛି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଋତୁ ଅନୁଯାୟୀ ଅଣ୍ଡାର ଦର ବଢୁଛି ଓ କମୁଛି । କିନ୍ତୁ, ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ଅର୍ନ୍ତଭୁକ୍ତ ରହିଛି । ଅଣ୍ଡାଦର ବୃଦ୍ଧି ଯୋଗୁ ମଧ୍ୟାହ୍ନ ଭୋଜନରେ ସେଭଳି କୌଣସି ପ୍ରଭାବ ପଡ଼ିବ ନାହିଁ ।
