
ଫାଟିଲା ସିଲିଣ୍ଡର, ଉଡ଼ିଲା ଛାତ । ବ୍ରହ୍ମପୁର – ନିମଖଣ୍ଡି ଥାନା ବୋରିଗାଁର ବଡ଼ ବନ୍ଧସାହିରେ ଫାଟିଲା ଗ୍ୟାସ ସିଲିଣ୍ଡର । ଭାଙ୍ଗିଲା ୪ ଘରର କାନ୍ଥ, ଜଣେ ଗୁରୁତର । ବଡବନ୍ଧ ସାହିର ପ୍ରଫୁଲ୍ଲ ରାଉତ ଘରେ ଏକୁଟିଆ ଥିବା ସମୟରେ ଗ୍ୟାସରେ ଡାଲି ଗରମ କରୁଥିଲେ । ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ତାଙ୍କ ହାତ, ଗୋଡ଼ ସହ ଶରୀରର ବିଭିନ୍ନ ଅଙ୍ଗ କ୍ଷତାକ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ପ୍ରଫୁଲ୍ଲଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ପ୍ରଫୁଲ୍ଲଙ୍କ ଘରର ବହୁ ଆସବାବପତ୍ର ନଷ୍ଟ ହୋଇଛି । ପ୍ରଫୁଲ୍ଲଙ୍କ ଘର ସମେତ ଆଖପାଖରେ ଥିବା ୪ ଘରର କାନ୍ଥ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିଶମ ବିଭାଗ, ନିମଖଣ୍ଡି ପୋଲିସ ପହଞ୍ଚି ପ୍ରଫୁଲ୍ଲଙ୍କୁ ଉଦ୍ଧାର କରିଥିଲେ ।
