Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରଥମାଷ୍ଟମୀ ବୈଶିଷ୍ଟ୍ୟ

Posted on November 12, 2025

ମାର୍ଗଶିର କୃଷ୍ଣଅଷ୍ଟମୀ ତିଥିଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ତପ ସରିବା ପରେ ୩ବାଡରେ ମଇଲମ କରାଯାଇ ପୂଜାପଣ୍ତା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ତା , ପତିମହାପାତ୍ର, ମୂଦିରସ୍ତ ସେବକ ଘଟୁଆରି ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି । ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ତିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକ ମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି । ତତ୍ପରେ ସୁଦୁସୁଆର ପୂଜା କରିବା ପରେ ତିନିବାଡରେ ପୂଜାପଣ୍ତା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି । ଏହି ପୂଜା ସମାପନାନ୍ତେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖାଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ । ଏହିପରି ଭାବେ ପ୍ରଥମାଷ୍ଟମୀ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଥାଏ ।

ମନ୍ଦିରରୁ ଭଣଜା ପାଇଁ ଆସିଛି ନବବସ୍ତ୍ର ଓ ଅଷ୍ଟମୀ ଭାର ଆଜି ପ୍ରଥମାଷ୍ଟମୀ । ଆଜି ପଢୁଆଁ ହେବେ ବଡଠାକୁର । ଶ୍ରୀଜୀଉଙ୍କ ମାମୁଘର ନିଆଳି ମାଧବ ମନ୍ଦିରରୁ ଭଣଜା ପାଇଁ ଆସିଥିବା ନୂଆ ବସ୍ତ୍ର ପିନ୍ଧିବେ ମହାପ୍ରଭୁ । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର , ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ ଆସିଛି ମାମୁଁଘରୁ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଛି । ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ଯାଇଥିଲା । ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା । ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଥିଲା । ପୁରାତନ ପ୍ରଥାକୁ ବଚାଂଇ ରଖିବାକୁ ଚଳିତ ବର୍ଷ ନିଆଳିର ମାଧବାନନ୍ଦଜୀଉ ମନ୍ଦିରର ଛତିଶା ସେବକ ନିଯୋଗ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ବଳଭଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଭାର ଓ ନୁଆ ବସ୍ତ୍ର ନେଇ ପୁରୀ ଯାଇଛନ୍ତି । ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ୧୨ ଶହ ୨୬ ଖ୍ରୀଷ୍ଟାଦ୍ଦରୁ ମାଧବ ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପରମ୍ପରା ରହିଛି । ଆଉ ସେବେଠାରୁ ଚାଲିଆସୁଛି ଏହି ପରମ୍ପରା ।

ଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ‘ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ’ ବୋଲି ପ୍ରବାଦ ଅଛି ।

ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’ । ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । କୃଷକ ସନ୍ତାନ ଲାଭ କରିଛି ଏବଂ ଶସ୍ୟ ମଧ୍ୟ ପାଇଛି କିମ୍ବା ଶସ୍ୟ ରୂପକ ସନ୍ତାନ ମଧ୍ୟ ସେ ଲାଭ କରିଛି- ଏହା ଅତ୍ୟନ୍ତ ସୌଭାଗ୍ୟର କଥା । କୃଷକର ମନ ଏଥିଲାଗି ଆନନ୍ଦିତ ଓ ଉଲ୍ଲସିତ । ସେ ଅତି ଆନନ୍ଦରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳି ଆସିଛି । ଏହି ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ । ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଏବେ ଏହି ପୂଜା ଲୁପ୍ତ । ସ୍କନ୍ଦ ପୁରାଣର କୋଶୀଖଣ୍ଡରେ ଉଲ୍ଲେଖ ଅଛି, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳଭୈରବୀଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ସମ୍ପାଦନ କଲେ ପ୍ରାଣୀମାନେ ସର୍ବପାପରୁ ମୁକ୍ତ ହୁଅନ୍ତି ।

ତନ୍ତ୍ରସାଧକମାନଙ୍କ ସାଧନା ସମୟରେ ଯେଉଁ ଉଲ୍ଲେଖ ତନ୍ତ୍ର ପରମ୍ପରାରେ ରହିଛି, ସେଥି ମଧ୍ୟରେ ଏହି ପ୍ରଥମାଷ୍ଟମୀର ରାତ୍ରି ବିଶେଷ ଉଲ୍ଲେଖନୀୟ । ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’ I ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମ । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣ ହୋଇଥିଲେ । ତନ୍ତ୍ର ସମ୍ବନ୍ଧୀୟ ବିଭିନ୍ନ ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ଅଛି । ଅତୀତରେ ବହୁ ସ୍ଥାନରେ ଭୈରବ ଓ ଭୈରବୀଙ୍କୁ ପୂଜା କରାଯାଉଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (906)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme