
ପୋଲିସ ସବ୍ ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ତାଙ୍କର ଅନ୍ୟ ୧୧ ଜଣ ସହଯୋଗୀଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରକୁ ସ୍ଥାନାନ୍ତର କରାଯାଇଛି।
ଗତ ରାତିରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, CBI କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ କୋର୍ଟ ଅର୍ଡର ହେବା ପରେ ଏହି ପଦକ୍ଷେପ ନିଆଯାଇଛି।
ଗତ ନଭେମ୍ବର ୧୨ ତାରିଖରେ CBI ତଦନ୍ତ ଭାର ନେବା ପରେ ନିଜ ଅଦାଲତକୁ ମାମଲା ସ୍ଥାନାନ୍ତର କରିବା ପାଇଁ ଏବଂ ଅଭିଯୁକ୍ତଙ୍କୁ ଭୁବନେଶ୍ୱର କାରାଗାରକୁ ନେବା ପାଇଁ ଗତ ୨୦ ତାରିଖରେ ବ୍ରହ୍ମପୁର JMFC ଗ୍ରାମୀଣ କୋର୍ଟରେ ଆବେଦନ କରାଯାଇଥିଲା। ସୋମବାର CBI ଆଇନଜୀବୀ ଓ ଅଧିକାରୀମାନେ ବ୍ରହ୍ମପୁର ଆସିଥିଲେ।

