
ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉପରବେଡ଼ା ଗାଁ ନିକଟସ୍ଥ ପୋଖରୀରୁ କାର୍ ସହିତ ଗଳିତ ଶବ ଉଦ୍ଧାର । ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ କାର୍କୁ ଉପରକୁ ଆଣି, ସେଥିରୁ ମୃତଦେହକୁ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଯୁବକ ବିଶୋଇ ଥାନା ଠୁଳୁଚଟାଣି ଗାଁର ଗୁଲେଶ ଗଚ୍ଛାୟତ । ସେ ସେପ୍ଟେମ୍ବର ୧୧ ତାରିଖରେ ତାଙ୍କ ବନ୍ଧୁଙ୍କୁ ଖଡ଼ଗପୁର ଛାଡ଼ିବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ଏ ବାବଦରେ ବିଶୋଇ ଥାନାରେ ଏତଲା ମଧ୍ୟ ଦେଇଥିଲେ । ହେଲେ ୨୪ ତାରିଖ ଅର୍ଥାତ୍ ଆଜି ଝାରପୋଖରିଆ ଥାନା ଉପରବେଡ଼ା ଗାଁ ନିକଟରେ ଥିବା ପୋଖରୀରେ ଏକ କାର୍ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ । ଝରପୋଖରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ କ୍ରେନ୍ ସାହାଯ୍ୟରେ କାର୍କୁ ବାହାରକୁ ଆଣିବା ସହିତ ସେଥିରୁ ଗୁଲେଶ ଗଚ୍ଛାୟତଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି । ଏହି ଘଟଣା ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

