
ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଅନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗର ୨ ସଦସ୍ୟ। ବଡ଼ ଲୁଟ୍ ପାଇଁ ଯୋଜନା କରିବା ବେଳେ ଗ୍ରାହକ ବେଶରେ ମାଡ଼ି ବସିଲା ପୁଲିସ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାରବାଇନ ଓ ୫ ବନ୍ଧୁକ ଜବତ।
କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ଏକ ଅନ୍ତଃରାଜ୍ୟ ବନ୍ଧୁକ ବେପାରୀ ସିଣ୍ଡିକେଟର ପର୍ଦାଫାଶ କରିଛି। ବିହାରର ଦୁଇ ଜଣ ବେପାରୀ ଭୁବନେଶ୍ୱରକୁ ବନ୍ଧୁକ ବିକିବା ପାଇଁ ଆସିଥିବା ବେଳେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଗ୍ରାହକ ବେଶରେ ମାଡ଼ି ବସିଛି। ସେମାନଙ୍କ ନିକଟରୁ ଗୋଟିଏ କାରବାଇନ୍, ୫ଟି ମାଉଜର, ୯ଟି ଜୀବନ୍ତ ଗୁଳି ସମେତ ୨ଟି ମୋବାଇଲ୍ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଖଗାରିଆ ଜିଲ୍ଲାର ଦିବ୍ୟାଶୁ କୁମାର ଓ ଚନ୍ଦନ କୁମାର।
ସୂଚନା ଥାଉକି, କଳାବଜାରୀ ମୂଲ୍ୟ ଅନୁସାରେ ଗୋଟିଏ କାରବାଇନ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ହେବ। କିନ୍ତୁ ଡିସିପି ଅନୁପ କାନୁନଗୋ ନିଜେ ବନ୍ଧୁକ ବେପାରୀକୁ ଫୋନ କରିଥିଲେ। ଗୋଟିଏ କାରବାଇନ ବନ୍ଧୁକ କିଣିବା ପାଇଁ ୫ ଲକ୍ଷ ଟଙ୍କା ଦେବେ ବୋଲି ଡିଲ କରିଥିଲେ। ଏହି ପ୍ରଲୋଭନରେ ପଡ଼ି ୨ ବନ୍ଧୁକ ବେପାରୀ ଗତକାଲି ରାତିରେ ଖାରବେଳନଗର ୟୁନିଟ-3 ଅଞ୍ଚଳକୁ ଯାଇଥିଲେ। ସେଠାରୁ ପୁଲିସ ୨ ବେପାରୀଙ୍କୁ କାବୁ କରିଥିଲା। ସେମାନେ ବିହାର ମୁଁଙ୍ଗେରରୁ ବନ୍ଧୁକ ଆଣି ବେପାର କରୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

