
ପୁଣେ ଜମି କିଣା ସ୍କାମ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଘେରିଛି ବିବାଦ। ସେ ନିଜ ସଫେଇ ଦେଇ କହିଥିଲେ ଯେ ଏହି ଜମି କିଣାବିକା ରଦ୍ଦ ହୋଇଛି ଓ ତାଙ୍କ ପୁଅ ପାର୍ଥଙ୍କ ଏଥିରେ ଭୂମିକା ନାହିଁ। କିନ୍ତୁ ପାର୍ଥ ପାୱାରଙ୍କ ଫାର୍ମ ଆମେଡିଆ ଏଣ୍ଟରପ୍ରାଇଜ ବିରୋଧରେ ଷ୍ଟାମ୍ପ ଡ୍ୟୁଟି ବିଭାଗ ୪୩ କୋଟି ଟଙ୍କାର କ୍ଷତିପୂରଣ ନୋଟିସ ଜାରି କରିବା ପରେ ସେହି ସଫେଇ ମିଛ ପ୍ରମାଣିତ ହୋଇଛି।
ଅଭିଯୋଗ ଅନୁସାରେ, ପାର୍ଥଙ୍କ ଫାର୍ମ ପୁଣେର ମୁନ୍ଦୱା ଅଞ୍ଚଳରେ ଥିବା ୪୦ ଏକର ସରକାରୀ ଜମିକୁ ପ୍ରାୟ ୩ଶହ କୋଟି ଟଙ୍କାରେ କିଣିଥିଲେ, ଯାହାର ବଜାର ମୂଲ୍ୟ ୧୮ଶହ କୋଟି ଟଙ୍କା ଥିଲା। ଏହି ଡିଲ୍ରେ ଅନିୟମିତତା ଥିବା ଅଭିଯୋଗ ଆସିଛି। ଘଟଣା ଲୋକଲୋଚନକୁ ଆସିବା ପରେ ଜଡିତ ଅଧିକାରୀମାନଙ୍କୁ ନିଲମ୍ବିତ କରାଯାଇଛି।
ଏହି ସ୍କାମ୍ ଆଗାମୀ ପୌର ନିର୍ବାଚନ ପରିପ୍ରେକ୍ଷିରେ ଶାସକ ମହାୟୁତି ସରକାର ପାଇଁ ବଡ଼ ଅସୁବିଧା ସୃଷ୍ଟି କରିପାରେ।
