
ପାନ-ଗୁଟ୍ଖା ଖାଇ ସାର୍ବଜନୀନ ସ୍ଥାନରେ ଛେପ ପକାଇବା ସମଗ୍ର ଦକ୍ଷିଣ ଏସିଆରେ ସାଧାରଣ କଥା । ରାସ୍ତାଠୁ ସିଡ଼ି, ଏମିତି କୌଣସି ସର୍ବସାଧାରଣ ସ୍ଥାନ ନାହିଁ, ଯେଉଁଠି ପାନ-ଗୁଟ୍ଖା ଛେପର ଚିହ୍ନ ନାହିଁ । ଯେତେ ଖରାପ, ଅସ୍ୱଚ୍ଛ ଓ ଅପ୍ରୀତିକର ମନେହେଲେ ବି ଲୋକଙ୍କର ଏହି ଅଭ୍ୟାସ ସମୟ ସହିତ ସ୍ୱାଭାବିକ ହୋଇଗଲାଣି । ଏହି ଅଭ୍ୟାସ ଏବେ ସୀମା-ସରହଦ ଟପିଛି । ବିଦେଶରେ ଏହି ଅଭ୍ୟାସକୁ ଜାରି ରଖିଥିବା ଲୋକଙ୍କ ପାଇଁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି ବ୍ରିଟେନ ।
ଇଭନିଙ୍ଗ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁସାରେ, ଏଠାରେ ସାଧାରଣତଃ ଦକ୍ଷିଣ ଏସୀୟ ସମୁଦାୟ ସହିତ ସଂଶ୍ଳିଷ୍ଟ ଦୋକାନ, ପେଭ୍ମେଣ୍ଟ୍ ଓ ଅଟ୍ଟାଳିକାଗୁଡ଼ିକରୁ ପାନ-ଗୁଟ୍ଖାର ନାଲି ଛେପ ଦାଗ ସଫା କରିବାରେ ନର୍ଥ ଲଣ୍ଡନ କାଉନ୍ସିଲ ପ୍ରତି ବର୍ଷ ୩୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି । ବ୍ରେଣ୍ଟ୍ର କେତେକ ସ୍ଥାନରେ ଲୋକଙ୍କ ପାନ ଖାଇବା ସାଧାରଣ କଥା । ଖାସ୍କରି ୱେମ୍ବଲିରେ ରାସ୍ତାଘାଟ, ସିଡ଼ି, ଟେଲିଫୋନ୍ ବୁଥ୍, ଏପରିକି ଫୁଲ ଗାଲିଚାରେ ମଧ୍ୟ ପାନ ଛେପ ଦେଖିବାକୁ ମିଳେ ।
ଏହି ସମସ୍ୟାର ମୁକାବିଲା ଲାଗି ବ୍ରେଣ୍ଟ୍ କାଉନସିଲ୍ ଏବେ ଶୂନ୍ୟ-ସହନଶୀଳ ନୀତି ଗ୍ରହଣ କରିଛି । ଏହା ଅନୁସାରେ, ଅପରିଷ୍କାର ପାନ-ଗୁଟ୍ଖା ଛେପ କେବଳ ସ୍ୱାସ୍ଥ୍ୟ ଓ ପରିବେଶର ଗମ୍ଭୀର କ୍ଷତି କରୁଛି ତାହା ନୁହେଁ, ଏହାକୁ ସଫା କରିବା ଲାଗି ମୋଟା ଅଙ୍କର ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି । ସର୍ବଶ୍ରେଷ୍ଠ ପ୍ରୟାସ ସତ୍ତେ୍ୱ ରାସ୍ତାଘାଟରୁ ଏହି ଚିହ୍ନକୁ ସମ୍ପୂର୍ଣ୍ଣ ହଟାଇବା ଅସମ୍ଭବ ହେଉଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁସାରେ, ଉଚ୍ଚ-ଶକ୍ତିସମ୍ପନ୍ନ କ୍ଲିନିଂ ଜେଟ୍ ମଧ୍ୟ ଏହାକୁ ହଟାଇ ପାରୁନାହାନ୍ତି ।
ସମସ୍ୟାର ସମାଧାନ ଲାଗି ବ୍ରେଣ୍ଟ୍ କାଉନ୍ସିଲ ବୋରୋଗର ୩ଟି ମୁଖ୍ୟ ସ୍ଥାନରେ ବ୍ୟାନର୍ ଲଗାଇଛି, ଯେଉଁଠି ପାନ ଛେପ ପକାଇବା ଏକ ବଡ଼ ସମସ୍ୟା ହୋଇଛି । ଏ ସମସ୍ତ ଅଞ୍ଚଳରେ ଏଣିକି ଏନ୍ଫୋର୍ସମେଣ୍ଟ୍ ଅଧିକାରୀମାନେ ପାଟ୍ରୋଲିଂ କରିବେ । ପାନ ଛେପ ପକାଉଥିବା ଲୋକଙ୍କୁ ୧୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।
