ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ମଦ ମାଫିଆଙ୍କ ବିରୋଧରେ ପ୍ରଶାସନର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ପୋଲିସ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ପ୍ରାୟ ୮୦ଟି ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଛି।
ଏହି ମିଳିତ ଚଢ଼ାଉ ସମୟରେ ପରଜଙ୍ଗ ଥାନା ଅନ୍ତର୍ଗତ କଲଦା, କଙ୍କଡାସୋଡ଼ା, ଆମ୍ବପଳାସ ଏବଂ ସେବାଗ୍ରାମ ଅଞ୍ଚଳରେ ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ଏଥିରେ ପ୍ରାୟ ୨୦୦ ଲିଟର ପ୍ରସ୍ତୁତ ଦେଶୀ ମଦ ଜବତ କରାଯିବା ସହ ମଦ ତିଆରି ପାଇଁ ରଖାଯାଇଥିବା ୩୦ ହଜାର ଲିଟରରୁ ଅଧିକ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି।
ତଦନ୍ତକାରୀ ଦଳ ଜଙ୍ଗଲ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମଦ ମାଫିଆମାନେ ସଂରକ୍ଷିତ ଜଙ୍ଗଲର ଶହ ଶହ ଗଛ କାଟି ସେଠାରେ ଏକ ପ୍ରକାର ‘ମଦର ଭୂସ୍ୱର୍ଗ’ ବା ମଦ ତିଆରିର ଏକ ବଡ଼ ହାଟ ଖୋଲିଥିଲେ। ପ୍ରଶାସନିକ ଟିମ୍ ଆସୁଥିବା ଖବର ପାଇ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମଧ୍ୟ ସେମାନଙ୍କ ସମ୍ପୂର୍ଣ୍ଣ ଭିତ୍ତିଭୂମିକୁ ଟିମ୍ ଧ୍ୱଂସ କରିଦେଇଛି।
ଏହି ଅପରେସନରେ ପରଜଙ୍ଗ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁଙ୍କ ସମେତ କାମାକ୍ଷାନଗର ଓ ପରଜଙ୍ଗର ଅବକାରୀ ଏବଂ ପୋଲିସ ଫୋର୍ସ ସାମିଲ ଥିଲେ। ଜଙ୍ଗଲ ସମ୍ପଦ ନଷ୍ଟ କରି ଏଭଳି ବେଆଇନ କାର୍ଯ୍ୟ ଚାଲିଥିବାରୁ, ଏବେ ବନ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।
