
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମପୋଖରୀ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ଖଳା। କେହି ଦୁର୍ବୁତ୍ତ ଗାଁର ସତ୍ୟବାଦୀ ବେହେରା ଓ ଗତିକୃଷ୍ଣ ବେହେରାଙ୍କ ଧାନ ଖଳାରେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। ହାତୀ ଉପଦ୍ରବରୁ ରକ୍ଷା ପାଇଁ ତରବରିଆ ଭାବେ ଧାନ କାଟି ଖଳାରେ ଅମଳ ପାଇଁ ଗଦା କରି ରଖିଥିଲେ ଦୁଇ ଚାଷୀ। ତେବେ କେହି ଦୁର୍ବୁତ୍ତ ଉଦେଶ୍ୟ ମୂଳକ ଜାଣି ଶୁଣି ଧାନ ଖଳାରେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ କ୍ଷଣକରେ ସମଗ୍ର ଧାନ ଖଳା ଜଳିପୋଡି ପାଉଁଶ ହୋଇଯାଇଥିଲା।ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ଧାର କରଜ କରି ବର୍ଷକର ଧାନ ଫସଲ କରିଥିଲେ ଦୁଇ ଚାଷୀ। ଏବେ ଧାନ ଖଳାରେ ନିଆଁ ଲାଗିଯିବା ଯୋଗୁଁ ଭାଙ୍ଗି ପଡିଛନ୍ତି ଦୁଇ ପରିବାର। ତୁରନ୍ତ ଅଗ୍ନି ବିପନ୍ନ ଦୁଇ ଚାଷୀ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
