
ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ। ଗଞ୍ଜାମ ପୁରୁଣାବନ୍ଧ ଋଷିକୂଲ୍ୟା ମୁହାଣରେ ଖଲ୍ଲିକୋଟ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଦୁଇ ଆନ୍ଧ୍ର ଟ୍ରଲର ଜବତ କରିଛି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରି ମତ୍ସ୍ୟଜୀବୀମାନେ ଧରା ପଡ଼ିଛନ୍ତି।
ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଉପକୂଳରେ ଏବେ ଅଲିଭ୍ ରିଡ୍ଲେ କଇଁଛଙ୍କ ମିଳନ ପ୍ରକ୍ରିୟା ଚାଲିଛି। ସେମାନଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ପ୍ରୟାଗି ଠାରୁ ଆର୍ଯ୍ୟପଲ୍ଲୀ ମାଛଧରା ନିଷେଧ କରାଯାଇଛି। ଏହି ନିଷିଦ୍ଧାଞ୍ଚଳରେ ଦୁଇଟି ଆନ୍ଧ୍ର ଟ୍ରଲର ପ୍ରବେଶ କରି ନିୟମର ଉଲ୍ଲଙ୍ଘନ କରିଥିବା ବନ ବିଭାଗ ଟ୍ରଲର ଜବତ କରିଛି। ଉକ୍ତ ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଅଟକ ରଖିଛନ୍ତି। ସେମାନଙ୍କୁ ପଚରାଉଚରା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଲିଭ୍ ରିଡ୍ଲେ କଇଁଛ ଆଗମନ ଠାରୁ ଅଣ୍ଡା ଦାନ ପରେ ଛୁଆ ହୋଇ ସମୁଦ୍ର ଯିବା ପ୍ରଯ୍ୟନ୍ତ ପ୍ରାୟ ୭ ମାସ ଏହି ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥାଏ।
