
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନିଜ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ମାରିଛନ୍ତି । ଟ୍ରମ୍ପ ଦୈନିକ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିଛନ୍ତି । ଆମେରିକାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆକାଶଛୁଆଁ ହୋଇଥିବା ବେଳେ ଆମେରିକା ଏହି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଏହି ଶୁଳ୍କ କମ୍ କରିବା ଫଳରେ ଆମେରିକା ବାସିନ୍ଦାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଗୋ-ମାଂସ, କଫି ଓ ଟ୍ରପିକାଲ ଫ୍ରୁଟ୍ ସମେତ ଅନେକ ସାମଗ୍ରୀ ଉପରେ ଟାରିଫ୍ କମ୍ କରିଛନ୍ତି ଟ୍ରମ୍ପ । ଆମେରିକା ଚଳିତ ମାସ ନନ୍ ଇୟର୍ ଇଲେକ୍ସନରେ ଆର୍ଥିକ ଚିନ୍ତାର ମୁଦ୍ଦା ଉଠାଇଥିଲା, ଯେଉଁଥିରେ ସାମଗ୍ରୀଗୁଡ଼ିକର ଦାମ୍ ବୃଦ୍ଧି ନେଇ ଆମେରିକା ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ଭର୍ଜିନିଆ ଓ ନ୍ୟୁ ଜର୍ସିରେ ଡେମୋକ୍ରାଟ୍ସ ବିଜୟ ହାସ କରିଥିଲା । କହିରଖୁଛୁ ଯେ, ଟ୍ରମ୍ପ ଏପ୍ରିଲରେ ଅଧିକାଂଶ ଦେଶ ଉପରେ ଟାରିଫ୍ ଲଗାଇଥିଲେ ।
ଆମେରିକାରେ ବିଫ୍ ଅର୍ଥାତ୍ ଗୋ-ମାଂସର ଦାମ୍ ରେକର୍ଡ ସ୍ଥାନରେ ପହଞ୍ଚିଛି । ଏହି ଦାମକୁ ହ୍ରାସ କରିବାକୁ ଟ୍ରମ୍ପ ପ୍ରଶାସନ ଲକ୍ଷ୍ୟ ଥିଲା। ଆମେରିକା ପାଇଁ ଗୋ-ମାଂସ ଏକ ପ୍ରମୁଖ ରପ୍ତାନୀକାରୀ ଦେଶ ହେଉଛି ବ୍ରାଜିଲ । ବ୍ରାଜିଲ ଉପରେ ଉଚ୍ଚ ଟାରିଫ୍ ଲଗାଇବା ଫଳରେ ଆମେରିକାରେ ଗୋ-ମାଂସର ଦାମ୍ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା । ରିପୋର୍ଟ ଅନୁଯାୟୀ, ଗୋ-ମାଂସ, କଫି ଓ ଫଳମୂଳ ବ୍ୟତୀତ ଚା’, ଫଳରସ, ସପ୍ଟଡ୍ରିଙ୍କ୍ସ, ମସଲା, କଦଳୀ, କମଳା, ଟମାଟୋ ଓ ଉର୍ବରକ ଉପରେ ଲାଗୁ ହୋଇଥିବା ଶୁଳ୍କ ହ୍ରାସ କରାଯାଇଛି । ଏଥିରେ କିଛି ସାମଗ୍ରୀ ଆମେରିକାରେ ଉତ୍ପାଦିତ ହୁଏନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିବା ପରେ କାର୍ଯ୍ୟକାରୀ ଆଦେଶ ଉପରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଯେଉଁଥିରେ କୁହାଯାଇଛି, ଆମେରିକା ଇକୋଡୋର, ଗ୍ୱାଟେମାଲା, ଅଲ ସଲୱାଡୋର ଓ ଆର୍ଜେଣ୍ଟିନା ସହ କିଛି ଦେଶଗୁଡ଼ିକର ଉତ୍ପାଦିତ କୃଷି ଉତ୍ପାଦ ଉପରେ ଶୁଳ୍କ କମ୍ କରିବାକୁ ଚିନ୍ତା କରୁଛନ୍ତି ।

