
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଛି । ତାରସିଙ୍ଗି ଥାନା ଅନ୍ତର୍ଗତ କୁଲାଡ଼ ନିକଟସ୍ଥ ନାରାୟଣପାଟଣା ଗ୍ରାମର ନାରାୟଣ ମନ୍ଦିରରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ୧୦ଟି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।
ସୂଚନା ମୁତାବକ, ପ୍ରତିଦିନ ଭଳି ମନ୍ଦିର ପୂଜକ ଶୁକ୍ରବାର ରାତ୍ର ୮ ଟାରେ ପୂଜା ସାରି ସମସ୍ତ ଦ୍ଵାର ବନ୍ଦ କରି ତାଲା ପକାଇ ଘରକୁ ଯାଇଥିଲେ । ଶନିବାର ସକାଳୁ ମନ୍ଦିରକୁ ଆସି ଦେଖିବା ବେଳକୁ ସବୁ ଫାଟକ ଖୋଲା ଅଛି ଏବଂ ମୂର୍ତ୍ତି ସବୁ ଚୋରି ହୋଇଯାଇଛି । ଏହା ଦେଖି ସେ ତୁରନ୍ତ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ । ତାରସିଙ୍ଗି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ରହିରଖୁ କି, ଏହା ପୂର୍ବରୁ ଗଞ୍ଜାମରେ ଗତ ଏକ ବର୍ଷ ଭିତରେ ବହୁ ଥର ମନ୍ଦିର ଭିତରୁ ଚୋରି ହୋଇଛି । ପ୍ରସିଦ୍ଧ ତାରାତାରିଣୀ ପୀଠ ଏବଂ କୁଲାଡ଼ ତଳ ବ୍ୟାଘ୍ରଦେବୀ ପୀଠରୁ ଚୋରିର ପର୍ଦ୍ଦାଫାଶ ହୋଇ ଦୁର୍ବୃତ୍ତ ଧରା ପଡ଼ିଥିବା ବେଳେ ଭଞ୍ଜନଗର ଶିରିଡ଼ି ସାଇ ମନ୍ଦିରରୁ ହୋଇଥିବା ୪୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଚୋରିରେ ଆଜି ପର୍ଯ୍ୟନ୍ତ କେହି ଧରା ପଡ଼ିନାହାନ୍ତି । ଚୋରି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇ ପାରିନାହିଁ । ଏପରି ସ୍ଥିତିରେ ପୁଣି ଏକ ମନ୍ଦିରରୁ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ମୂର୍ତ୍ତି ଚୋରି ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

