
ଭାରତୀୟ ନାଗରିକତ୍ୱ ଛାଡୁଥିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି । ଗତ ୫ ବର୍ଷରେ ପାଖାପାଖି ୯ ଲକ୍ଷ ଭାରତୀୟ ସେମାନଙ୍କ ନାଗରିକତ୍ୱ ପରିତ୍ୟାଗ କରିଥିବା ବହିର୍ବ୍ୟାପାର ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ରାଜ୍ୟସଭାରେ ଉତ୍ତର ରଖି ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ କହିଛନ୍ତି ଯେ, ୨୦୧୧ରୁ ୨୦୨୪ ମଧ୍ୟରେ ପ୍ରାୟ ୨୧ ଲକ୍ଷ ଭାରତୀୟ ବିଦେଶୀ ନାଗରିକତ୍ୱ ଗ୍ରହଣ କରିଛନ୍ତି । ୨୦୨୧ରୁ ଏହି ସଂଖ୍ୟା ବଡ଼ ଆକାରରେ ବଢ଼ିଥିବା ସେ ପ୍ରକାଶ କରିଛନ୍ତି ।
୨୦୨୦ ମହାମାରୀ ବର୍ଷରେ ଏହି ସଂଖ୍ୟା ୮୫,୦୦୦କୁ ଖସିଥିଲା । ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୨୧ରେ ସଂଖ୍ୟା ପାଖାପାଖି ୨ ଲକ୍ଷକୁ ବୃଦ୍ଧି ପାଇଥିଲା । ପ୍ରତିବର୍ଷ ହାରାହାରି ୨ ଲକ୍ଷ ଭାରତୀୟ ସେମାନଙ୍କ ନାଗରିକତ୍ୱ ଛାଡୁଥିବା ରାଜ୍ୟସଭା ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ତେବେ ସୁରକ୍ଷା ଚିନ୍ତା କାରଣରୁ ଗତ ୩ ବର୍ଷରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ୫,୯୪୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
