ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ଦେହେଲି ଠାରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ମୁତାବକ ଗତ କିଛିଦିନ ତଳେ ଉକ୍ତ ସମାନ୍ ଜାଗାରେ ଏକ ବାଇକ୍ ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଓ ଝିଅ ଗୁରୁତର ଆହତ ହୋଇ ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେହିପରି ଆଜିର ଉକ୍ତ ଘଟଣା ଯୋଗୁଁ ଉକ୍ତ ସ୍ଥାନରେ ହମ୍ସ୍ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବୀ ଉପସ୍ଥାପନ କରିଛନ୍ତି।
ନବରଙ୍ଗପୁର ରୁ କାର୍ ନଂ (ସିଜି ୦୪ ଏଜେଡ଼ ୭୮୯୦) ଉର୍ଲାଦାନୀ ଯାଉଥିବା ସମୟରେ ଉକ୍ତ ସ୍ଥାନରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ପାର୍ଶ୍ବରେ ଥିବା ଏକ ବଟବୃକ୍ଷରେ ଧକ୍କା ଦେଇ ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ୍ ରେ ଗାଡିଚକ ଫସି ରହିଛି। ଉକ୍ତ ଦୁର୍ଘଟଣା ଯୋଗୁଁ ଗାଡିର ସମ୍ମୁଖ ଭାଗ ଚୁରମାର ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଜଣା ପଡିନଥିବା ବେଳେ ସମସ୍ତେ ଉର୍ଲାଦାନୀ ଅଞ୍ଚଳର ବୋଲି ଜଣାପଡିଛି।
