
ଦୀର୍ଘ ଘଣ୍ଟା ବିତିବାକୁ ବସିଲାଣି ଶବ ସତ୍କାର ହୋଇପାରୁନି । ପୁଅ ଖ୍ରୀଷ୍ଟଧର୍ମ ଅନୁଯାୟୀ କବର ଦେବାକୁ ଜିଦ୍ ଧରିବାରୁ ଗ୍ରାମବାସୀ ବିରୋଧ କରୁଛନ୍ତି । ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ରଙ୍ଗାମାଟିଆ ଗାଁର ଛୁଟା ହାଁସଦାଙ୍କର ଗତ ବୁଧବାର ମଧ୍ୟରାତ୍ରିରେ ମୃତ୍ୟୁ ହୋଇଛି । ସାନ ପୁଅ ଭୀମ ହାଁସଦାଙ୍କ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ସେ ନିଜ ବାପାଙ୍କୁ ବାଡ଼ିରେ କବର ଦେବା ଓ ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଅନ୍ତ୍ୟେଷ୍ଟି କ୍ରିୟା କରିବେ ବୋଲି କହିବାରୁ ସାନ୍ତାଳ ସମ୍ପ୍ରଦାୟର ଗ୍ରାମସଭା ସଭାପତିଙ୍କ ସହ ଅନ୍ୟାନ୍ୟ କିଛି ଲୋକ ବିରୋଧ କରିଥିଲେ ।
ଏହାକୁ ନେଇ ଭୀମ ହାଁସଦା ରାଇବଣିଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରୁ ଫେରି ନିଜ ବାଡ଼ିରେ କବର ଦେବାର ପ୍ରଶାସନଠୁ ଅନୁମତି ପାଇଁ ଘରବାଡ଼ି ପ୍ରମାଣପତ୍ର ନକଲ ଓଲମରା ରାଜସ୍ୱ ଅଧିକାରୀଙ୍କୁ ମଧ୍ୟ ପଠାଇଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ ବୃଦ୍ଧଙ୍କ ସ୍ତ୍ରୀ ସ୍ୱର୍ଗତ ମାନକୀ ଦୁଇଟି ବିବାହ କରିଛନ୍ତି । ପ୍ରଥମ ସ୍ୱାମୀଙ୍କର ୩ ପୁଅ ମଧ୍ୟରୁ ଦୁଇ ପୁଅଙ୍କ ମୃତ୍ୟୁ ହୋଇଯାଇଛି । ସାନ ପୁଅ ସାନ ବାପାଙ୍କ କବରକୁ ବିରୋଧ କରୁଛନ୍ତି । ସନ୍ଧ୍ୟାରେ ଜଳେଶ୍ୱର ଏସଡିପିଓ, ରାଇବଣିଆ ଥାନା ଆଇଆଇସି ସଦଳବଳ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିବା ସତ୍ତେ୍ୱ କୌଣସି ସମାଧାନ ହୋଇ ନ ଥିଲା ।
