
ଓଡ଼ିଶା ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ସମାପ୍ତ ହୋଇଛି। ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଦୁର୍ଗା ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ, ଯାହାକୁ ଏକାଧିକ ବିଧାୟକ ସମର୍ଥନ କରିଥିବା ପରେ ଏହି ଘୋଷଣା ହୋଇଛି।
ମୌସୁମୀ ଅଧିବେଶନରେ ମୋଟ ୬ଟି କାର୍ଯ୍ୟଦିନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ୨ଟି ବିଲ୍ ପାରିତ ହୋଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୫ ଓ ଓଡ଼ିଶା ଦ୍ରବ୍ୟ ଓ ସେବା କର (GST) ସଂଶୋଧନ ବିଲ୍-୨୦୨୫ ଗୃହରେ ପାରିତ ହୋଇଛି। ଏହାସହିତ, ଜିଏସଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ବିଶେଷ ସଂକଳ୍ପ ପାରିତ କରାଯାଇଥିଲା।
୬ ଦିନରେ ବିଧାନସଭା ଅଧିବେଶନ ବେଶ ସରଗରମ ଥିଲା। ସାର ଅଭାବ, ମହିଳା ବିରୋଧୀ ଅପରାଧ ବୃଦ୍ଧି, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା କାଟାକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ଜୋରଦାର ପ୍ରତିବାଦ କରିଥିଲେ ।

