
ଇରାନରେ ସରକାର ବିରୋଧୀ ପ୍ରଦର୍ଶନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏଥିରେ ଏପର୍ଯ୍ୟନ୍ତ ୨୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । କେବଳ ରାଜଧାନୀ ତେହେରାନର ୬ଟି ହସ୍ପିଟାଲରେ ୨୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କ ମୃତ୍ୟୁ ଗୁଳି ଲାଗିବାରୁ ହୋଇଛି । ପ୍ରଦର୍ଶନକୁ ଦବାଇବା ଲାଗି ରାଜଧାନୀ ସମେତ ଅନେକ ସହରରେ ସେନା ବା ରିଭୋଲ୍ୟୁସନାରୀ ଗାର୍ଡ ମୁତୟନ କରାଯାଇଛି । ସେନା ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼ କରିଥିବାର ସୂଚନା ମିଳିଛି ।
ଦେଶର ଅନ୍ୟାନ୍ୟ ସ୍ଥାନରୁ ମୃତାହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ସେନାର ଜଣେ ବରିଷ୍ଠ ଅଧିକାରୀ ଟିଭି ଚ୍ୟାନେଲରେ ପ୍ରଦର୍ଶନକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ପିତାମାତାମାନେ ସେମାନଙ୍କ ପିଲାଙ୍କୁ ପ୍ରଦର୍ଶନରୁ ଦୂରେଇ ରଖନ୍ତୁ । ନଚେତ ସେମାନଙ୍କ ଦେହରେ ଗୁଳି ଲାଗିବ । ପରେ ଆଉ ଅଭିଯୋଗ କରିବେ ନାହିଁ । ଆନ୍ଦୋଳନରେ ସାମିଲ ଅଧିକାଂଶ ହେଉଛନ୍ତି ଯୁବପିଢ଼ି । ତେବେ ପ୍ରଦର୍ଶନକୁ ଦୃଢ଼ ହସ୍ତରେ ଦମନ କରିବାକୁ ଆଦେଶ ଦିଆଯାଇଛି । ଫଳରେ ସେନା ଗୁଳି ଚଳାଉଛି ।
ସେପଟେ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଇରାନ ସରକାର ଦେଶବ୍ୟାପୀ ଇଣ୍ଟରନେଟ ଓ ଟେଲିଫୋନ୍ ସେବାକୁ ବନ୍ଦ କରିଦେଇଛନ୍ତି । ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି ଆନ୍ଦୋଳନକାରୀଙ୍କୁ ହତ୍ୟା କରାଗଲେ ଇରାନକୁ ବହୁମୂଲ୍ୟ ଦେବାକୁ ପଡିବ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ମୃତାହତଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିବ । ଇସ୍ରାଏଲ ସହ ସଂଘର୍ଷ, ଆନ୍ତର୍ଜାତିକ ବାସନ୍ଦ, ନିମ୍ନମୁଖୀ ଅର୍ଥବ୍ୟବସ୍ଥା, ବିଜୁଳି ଓ ପାଣି ଭଳି ସଙ୍କଟ ସହ ଇରାନ ସଂଘର୍ଷ କରୁଥିବା ବେଳେ ଏହି ଆନ୍ଦୋଳନ ଯୋଗୁ ଦେଶ ଆହୁରି ସଙ୍କଟ ମଧ୍ୟକୁ ଚାଲିଯାଇଛି । ଦରଦାମ ବୃଦ୍ଧିକୁ ନେଇ ଇରାନରେ ଗତ ଡିସେମ୍ବରରୁ ଜେନ୍-ଜି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।
