
ଜାମ୍ମୁକାଶ୍ମୀର ଶ୍ରୀନଗର ସ୍ଥିତ ନୌଗାମ ଥାନାରେ ବଡ଼ ବିସ୍ଫୋରଣ ହୋଇଛି । ବ୍ଲାଷ୍ଟ ଏତେ ଭୟଙ୍କର ଥିଲା ଯେ ଥାନା ଉଡ଼ି ଯାଇଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ ବଡ଼ ଆତଙ୍କୀ ନେଟଓ୍ୱାର୍କର ପର୍ଦ୍ଦାଫାସ କରି ଦେଶରେ ଚର୍ଚ୍ଚାରେ ଥିଲା ନୌଗାମ ପୁଲିସ । ଫରିଦାବାଦରୁ ଜବତ ବିସ୍ଫୋରକ ନୌଗାମ ଥାନାରେ ରଖାଯାଇଥିଲା । ବିସ୍ଫୋରଣରେ ବହୁ ପୁଲିସ୍ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ପୁଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଛି । ବ୍ଲାଷ୍ଟରେ ଥାନା ସମେତ ପାଖରେ ଥିବା ଅନେକ ଘର ଉଡ଼ିଯାଇଥିବା ସୂଚନା ମିଳିଛି । ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତାର ତଦନ୍ତ ଚାଲିଛି ।
ଦକ୍ଷିଣ ଜାମ୍ମୁକାଶ୍ମୀର ଶ୍ରୀନଗର ନୌଗାମ ଥାନାରେ ଶୁକ୍ରବାର ରାତିରେ କିଛି ଏମିତି ଘଟିଛି ଯାହା କେହି କେବେ କଳ୍ପନା କରିନଥିଲେ । ଭୟଙ୍କର ବ୍ଲାଷ୍ଟ ହୋଇ ଅନେକ ଜୀବନ ଦୀପ ଲିଭି ଯାଇଛି । ଭୀଷଣ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି । ଯାହାର ଭୟଙ୍କର ଶବ୍ଦ ଗୁଞ୍ଜି ଉଠିଥିଲା । ପୁରା ଥାନା ଉଡ଼ିଯାଇଛି । ହୁତୁ ହୁତୁ ହୋଇ ଗାଡ଼ି ଜଳିଯାଇଛି । ୩୦୦ମିଟର ଦୂର ଯାଏ ଖଣ୍ଡ ବିଖଣ୍ଡିତ ମଣିଷ ଶରୀରର ବିଛାଡ଼ି ହୋଇ ପଡ଼ିଛି । ଶୁକ୍ରବାର ରାତି ପ୍ରାୟ ୧୧ଟା ୨୨ରେ ବିସ୍ଫୋରଣ ଘଟିଛି । ଏ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି । ୨୭ରୁ ଅଧିକ ଆହତ ଜୀବନ ମରଣ ସହ ଲଢେଇ କରୁଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । କିଛି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ସିସିଟିଭି ଫୁଟେଜ୍ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବିସ୍ଫୋର ଏତେ ଭୟଙ୍କର ଥିଲା ଯେ ନିଆଁ ଏବଂ ଧୂଆଁରେ ଅଞ୍ଚଳରେ ଧୂଆଁ ଧୂଆଁ ହୋଇଥିଲା । ଆଇଜି ସିଆରପିଏଫ ପୱନ କୁମାର ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଜାମ୍ମୁକାଶ୍ମୀର ଡିଜିପି ନୌଗାମ ପୁଲିସ୍ ଷ୍ଟେସନ ପରିଦର୍ଶନ କରିଛନ୍ତି । ଆଇଇଡ଼ି ବିସ୍ଫୋରଣ ନା ଅବହେଳା ? ବର୍ତ୍ତମାନ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦୁଇଟି ପ୍ରମୁଖ ଦିଗରୁ ଘଟଣାର ତଦନ୍ତ କରୁଛନ୍ତି । ଫରିଦାବାଦରୁ ଜବତ ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରକ ସାମଗ୍ରୀ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସିଲ୍ କରାଯିବା ସମୟରେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ।
ଦ୍ବିତୀୟତଃ ଘଟଣାକୁ ଆତଙ୍କବାଦୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ ଦିଗରୁ ତଦନ୍ତ କରାଯାଉଛି । ପାର୍କିଂ ହୋଇଥିବା ଏକ ଜବତ କାର୍ରେ ଆଇଡ଼ି ରଖାଯାଇଥିବା ସନ୍ଦେହ କରାଯାଉଛି । ବିପୁଳ ଆମେନିୟମ୍ ନାଇଟ୍ରେଟ୍ ବିସ୍ଫୋରଣ ହୋଇଥିଲା । ଜୈଶ-ଏ ମହମ୍ମଦ ସହିତ ଜଡ଼ିତ ଏକ ଛାୟା ଗୋଷ୍ଠୀ ପିଏଏଫଏଫ୍ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି ଯାହାର ସତ୍ୟତା ତଦନ୍ତାଧୀନ । ବିସ୍ଫୋରଣ ନେଇ ଫରିଦାବା ଡାକ୍ତରଙ୍କ ମଡ୍ୟୁଲ୍ ଲିଙ୍କ୍ ସାମ୍ନାକୁ ଆସିଛି । କାରଣ ନୌଗାମ ପୁଲିସ୍ ଷ୍ଟେସନ୍ରେ ଘଟିଛି ଯାହା ଏକ ପ୍ରମୁଖ ସୁରକ୍ଷା କେନ୍ଦ୍ର । କାରଣ ସେଠାରେ ଆନ୍ତଃରାଜ୍ୟ ଆତଙ୍କବାଗୀ ମଡ୍ୟୁଲର ପ୍ରଥମ ଏଫଆଇଆର ଦାୟର ହୋଇଥିଲା । ତେଣୁ ସୁରକ୍ଷା ଏଜେନ୍ସି ବ୍ଲାଷ୍ଟକୁ ପ୍ରତିଶୋଧମୂଳକ କାର୍ଯ୍ୟ ଭାବରେ ବିବେଚନା କରୁଛନ୍ତି । ନୌଗାମ ବିସ୍ଫୋରଣ ପରେ ଜାମ୍ମୁକାଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି । ଡିଜିପି ସୁରକ୍ଷା ସମୀକ୍ଷା କରିଛନ୍ତି । କଣ ଏହି ବ୍ଲାଷ୍ଟର ଦିଲ୍ଲୀ ଲାଲକିଲ୍ଲା ସହ କିଛି ସମ୍ପର୍କ ଅଛି କି ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଆସୁଛି ।
