
ଚଳିତ ମାସ ୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଫାର୍ମା ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ । ଏହି ସମ୍ମିଳନୀରେ ଫାର୍ମା, ମେଡିକାଲ ଯନ୍ତ୍ରାଂଶ ମାନୁଫାକ୍ଚର୍ସ, ଷ୍ଟାର୍ଟଅପ, ନବସୃଜନକାରୀ, ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷଜ୍ଞ, ନିବେଶକ, ଶିଳ୍ପ ଅଂଶୀଦାରମାନେ ସାମିଲ ହୋଇ ରାଜ୍ୟର ଅଭିବୃଦ୍ଧିଶୀଳ ଫାର୍ମା କ୍ଷେତ୍ରର ସମ୍ଭାବନାକୁ ପରଖିବେ । ଏହି ଅବସରରେ ରାଜ୍ୟ ଫାର୍ମା ଏବଂ ମେଡିକାଲ ଯନ୍ତ୍ରାଂଶ ନୀତି ଉନ୍ମୋଚିତ ହେବ । ଏହି ନୀତିରେ ନିବେଶ ଆକୃଷ୍ଟ କରିବା, ଇଜ୍ ଅଫ୍ ଡୁଇଁ ବିଜ୍ନେସର ଉନ୍ନତୀକରଣ, ବୃହତ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ଉପରେ ଫୋକସ କରାଯିବ ।
ସେହିଭଳି ଏଥିରେ ୨ ସ୍ୱତନ୍ତ୍ର ଶିଳ୍ପ ପାର୍କ ସମ୍ପର୍କରେ ମଧ୍ୟ ଘୋଷଣା କରାଯିବ । ଆସିବାକୁ ଥିବା ନୁଆ ଫାର୍ମାସ୍ୟୁଟିକାଲ ପାର୍କ ଏବଂ ମେଡିକାଲ ଡିଭାଇସ ପାର୍କ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ର ମାନୁଫାକ୍ଚରିଂ ଭିତ୍ତିଭୂମି ଏବଂ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ । ଏଥିରେ ସରକାର ଏବଂ ବିଭିନ୍ନ କମ୍ପାନି ମଧ୍ୟରେ ଏମ୍ଓୟୁ ହେବାକୁ ଯାଉଛି । ଯାହା ଦ୍ୱାରା ଫାର୍ମା ଏବଂ ମେଡିକାଲ ଯନ୍ତ୍ରାଂଶ ଇକୋସିଷ୍ଟମକୁ ଦୃଢ଼ କରିବ । ବରିଷ୍ଠ ଶିଳ୍ପ ଲିଡର ମାନେ ହେଲ୍ଥକେୟାର ମାନୁଫାକଚରିଂ କ୍ଷେତ୍ରରେ ଓଡ଼ିଶାରେ ଥିବା ସମ୍ଭାବନା ସମ୍ପର୍କରେ ଏକ ବିଶେଷ ପାନେଲ ଆଲୋଚନା ମଧ୍ୟ କରିବେ ।
ଏହି ପରିପ୍ରେକ୍ଷୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଫାର୍ମା, ମେଡିକାଲ ଯନ୍ତ୍ରାଂଶ ଏବଂ ଆନୁଷଙ୍ଗିକ କ୍ଷେତ୍ରର ଶିଳ୍ପ, ନିବେଶକ ଏବଂ ବିଶେଷଜ୍ଞଙ୍କୁ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ଏ କ୍ଷେତ୍ରରେ ଏକ ଦୃଢ଼ ଏବଂ ଭବିଷ୍ୟପନ୍ଥୀ ଇକୋସିଷ୍ଟମ ଗଠନ ଦିଗରେ ଲକ୍ଷ୍ୟ ରହିଛି, ଯାହା ରାଜ୍ୟର ଅଭିବୃଦ୍ଧି, ନବସୃଜନ ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ଉତ୍ସାହିତ କରିବ।
