
ଡିସେମ୍ବର ସୁଦ୍ଧା ଆଉ ୮-୧୦ଟି ଆଫ୍ରିକୀୟ ଚିତାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ହେଉଛି ଭାରତ । ଏଥିଲାଗି ନାମ୍ବିଆ, ବୋତ୍ସୱାନା, କେନିୟା ସହ ଆଲୋଚନା ଚାଲିଛି । ୨୦୨୨ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ପ୍ରୋଜେକ୍ଟ ଚିତାର ଶୁଭାରମ୍ଭ କରାଯାଇଥିଲା । ସେତେବେଳେ ନାମ୍ବିଆରୁ ୮ଟି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡ଼ାଯାଇଥିଲା । ପରେ ଫେବ୍ରୁଆରୀ ୨୦୨୩ରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିଥିଲେ । ସ୍ଥାନାନ୍ତରିତ ହୋଇଥିବା ମୋଟ ୨୦ଟି ଚିତାଙ୍କ ମଧ୍ୟରୁ ଅଦ୍ୟାବଧି ୧୧ଟି ବଞ୍ଚିଛନ୍ତି । ସେଥିରେ ନାମ୍ବିଆରୁ ଆସିଥିବା ୩ ଓ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୮ ଚିତା ରହିଛନ୍ତି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଯ୍ୟକ୍ରମକୁ ଉତ୍ସାହଜନକ ପ୍ରଜନନ ସଫଳତା ମିଳିଛି । ଭାରତରେ ମୋଟ ୨୬ ଚିତା ଶାବକ ଜନ୍ମ ହୋଇଛନ୍ତି । ସେଥିମଧ୍ୟରୁ ୧୬ଟି ଶାବକ ଜୀବିତ ଅଛନ୍ତି । ଏହାଦ୍ୱାରା ଭାରତୀୟ ପରିବେଶରେ ଚିତା ତିଷ୍ଠିବା ହାର ୬୧.୦୫% ହୋଇଯାଇଛି । ଯାହାକି ବୈଶ୍ୱିକ ହାର ୪୦ ଧରୁ ବହୁ ଅଧିକ । ବର୍ତ୍ତମାନ ପ୍ରୋଜେକ୍ଟ ଚିତା ଅନୁସାରେ ଭାରତରେ ମୋଟ ୨୭ଟି ଚିତା ରହିଛନ୍ତି । ସେଥିମଧ୍ୟରୁ ୧୫ଟି ଚିତା କୁନୋରେ ମୁକ୍ତ ଭାବେ ବୁଲୁଛନ୍ତି । ଅଧିକାରୀମାନଙ୍କ ଅନୁସାରେ, ପ୍ରଥମ ବର୍ଷ ବୟସ୍କ ଚିତାମାନଙ୍କର ଜୀବିତ ରହିବାର ହାର ୭୦% ଥିଲା । ଦ୍ୱିତୀୟ ବର୍ଷ ତାହା ୮୫.୭୧%କୁ ବୃଦ୍ଧି ପାଇଥିଲା । ଏହା ଭାରତୀୟ ପରିସ୍ଥିତି ପ୍ରତି ଗ୍ରହଣୀୟତାକୁ ସୂଚାଉଛି । ସେହିପରି ବର୍ତ୍ତମାନ ସବୁ ଚିତାକୁ ରେଡିଓ କଲାର ମାଧ୍ୟମରେ ଅନୁଧ୍ୟାନ କରାଯାଉଥିବା ସେମାନେ ପ୍ରକାଶ କରିଛନ୍ତି
