
ବାହାର ଜିଲ୍ଲାରୁ କାମ କରିବାକୁ ଆସି ଠିକାଦାରଙ୍କ ଦ୍ୱାରା ନିର୍ଯାତିତ ହେଉଥିଲେ ଶ୍ରମିକ। ଅଭିଯୋଗ ପାଇବା ପରେ ୨୫ ଶ୍ରମିକଙ୍କୁ ଉଦ୍ଧାର କରି ନିଜେ ଗାଡି ଭଡ଼ା କରି ଗାଁକୁ ପଠାଇଲା ପୁଲିସ। ଗାଁକୁ ଫେରିବା ବେଳେ ନିର୍ଯାତିତ ଶ୍ରମିକଙ୍କ ଖୁସି କହିଲେ ନ ସରେ। ପୁଲିସ ଅଧିକାରୀଙ୍କୁ ମୁଣ୍ଡିଆ ମାରି ସେମାନଙ୍କୁ ଠିକାଦାରଙ୍କ କବଳରୁ ଉଦ୍ଧାର କରିଥିବାରୁ ପୁଲିସକୁ ଧନ୍ୟବାଦ ଦେଇଥିଲେ ଶ୍ରମିକମାନେ।
ସୂଚନା ମୁତାବକ, ଖଲ୍ଲିକୋଟ ବ୍ଲକର ବିଭିନ୍ନ ଜାଗାରେ ଅଙ୍ଗନବାଡ଼ି ଘର, କୋଠା ଘର ଭଳି ବିଭିନ୍ନ ସରକାରୀ କାମ ଖଲ୍ଲିକୋଟ ବ୍ଲକର ସମ୍ପୃକ୍ତ ଠିକାଦାର କରୁଥିବା ବେଳେ ସେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରମିକ ଆଣି କାମରେ ନିୟୋଜିତ କରୁଥିଲେ । ହେଲେ ଶ୍ରମିକ ମାନେ ପାରିଶ୍ରମିକ ମାଗିଲେ କିମ୍ବା ଗାଁକୁ ଯିବାକୁ କହିଲେ ସେମାନଙ୍କୁ ମାଡ଼ ମାରୁଥିଲେ ଠିକାଦାର। ଶ୍ରମିକ ମାନଙ୍କ ମୋବାଇଲ ଛଡ଼ାଇ ନେଇଥିବା ବେଳେ ୧୨ ରୁ ୧୩ ଘଣ୍ଟା କାମ କରୁଥିବା ଏବଂ ଖାଇବାକୁ ମାଗିଲେ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଜଣେ ଶ୍ରମିକ ସେଠାରୁ କୌଶଳ କ୍ରମେ ଖସି ଆସି ପରିବାରକୁ ଜଣାଇବା ପରେ ପରିବାର ସଦସ୍ୟ ଭେଜିପୁଟ ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ପୁଲିସ ଟିମ୍ ସହ ପଥରା ଅଞ୍ଚଳରେ ଚଢ଼ାଉ କରି ଜିଲେନ ନାୟକ, ପିଙ୍କୁ ନାୟକ, ମାଧବ ନାୟକଙ୍କ ସମେତ ୨୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଫାଣ୍ଡିକୁ ଆଣିଥିଲେ। ବୁଧବାର ଭୋର ସମୟରେ ଗାଡି କରି ଶ୍ରମିକ ମାନଙ୍କୁ ନିଜ ନିଜ ଗାଁକୁ ପଠେଇଥିଲା ପୁଲିସ। ଯେଉଁଠିକୁ ବି କାମ କରିବାକୁ ଯାଆନ୍ତୁ, ଯଦି କୌଣସି ଅସୁବିଧା ହୁଏ, ତାହେଲେ ୧୧୨ ନମ୍ବରକୁ କଲ୍ କରିବାକୁ ଆଇଆଇସି ରମେଶ କୁମାର ପ୍ରଧାନ ଶ୍ରମିକ ମାନଙ୍କୁ ପରାମର୍ଶ ଦେଇଥିଲେ ।

