
ଭାରତ ଏବଂ ଆମେରିକା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁନଥିଲେ ଯେ ଭାରତ ରୁଷରୁ ତେଲ କିଣିବା ଉଚିତ। ଆଉ ଏହାରି ମଧ୍ୟରେ ସେ ଏବେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ବୁଧବାର ତଥା ଅକ୍ଟୋବର ୧୫ ତାରିଖ ଦିନ ଟ୍ରମ୍ପ କହିଛନ୍ତି ଯେ, ଭାରତ ଆଉ ରୁଷ ତେଲ କିଣିବ ନାହିଁ। ଏହି ଦାବି ପଛରେ ସତ୍ୟତା କେବଳ ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା ପରେ ଜଣାପଡିବ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଟ୍ରମ୍ପ ଅତୀତରେ ଭାରତ ବିଷୟରେ ଅନେକ ମିଥ୍ୟା ଦାବି କରିଛନ୍ତି।
ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି, “ହଁ, ନିଶ୍ଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ବନ୍ଧୁ। ଆମର ବହୁତ ଭଲ ସମ୍ପର୍କ ଅଛି। ମୁଁ ଭାରତକୁ ରୁଷରୁ ତେଲ କିଣିବାକୁ ପସନ୍ଦ କରିନଥିଲି। ତଥାପି, ଆଜି ସେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ। ଏହା ଏକ ବଡ଼ ପଦକ୍ଷେପ। ଆମକୁ ଚୀନକୁ ମଧ୍ୟ ସେହିପରି କରିବାକୁ ରାଜି କରାଇବାକୁ ପଡିବ।” ଟ୍ରମ୍ପ୍ ରୁଷୀୟ ତୈଳ ସମ୍ପର୍କରେ ଅନେକ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ରୁଷ ୟୁକ୍ରେନ ଯୁଦ୍ଧରେ ନିଜର ରୋଜଗାର ବିନିଯୋଗ କରୁଛି ଏବଂ ଏହି କାରଣରୁ ସେ ଚାହୁଁ ନଥିଲେ ଯେ ଭାରତ ରୁଷଠାରୁ ତେଲ କିଣିବ। ଏଥିରେ କ୍ରୋଧିତ ହୋଇ ଟ୍ରମ୍ପ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଆମେରିକା ରାଷ୍ଟ୍ରପତି ଭାରତ ଏବଂ ଚୀନ୍ ଉପରେ ମଧ୍ୟ ଭାରି ଶୁଳ୍କ ଲାଗୁ କରିଥିଲେ। ବର୍ତ୍ତମାନ, ଆମେରିକା ଏବଂ ଚୀନ୍ ମଧ୍ୟରେ ଏକ ଶୁଳ୍କ ଯୁଦ୍ଧ ଚାଲିଛି।
