
ତାଳଚେର : ଏମ୍ସିଏଲ୍ ତାଳଚେର ଅନନ୍ତ କୋଇଲା ଖଣିରେ ମାଟି କୋଇଲା ପରିବହନ କାମ କରୁଥିବା ଜେଆରଟି କମ୍ପାନୀର କର୍ମଚାରୀଙ୍କୁ ବୋନସ ସହିତ ଇପିଏଫ ଟଙ୍କା ଦେଉନଥିବାରୁ ଆଜି କର୍ମଚାରୀମାନେ କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତାଲା ପକାଇ ଦେଇଥିଲେ।
ସୂଚନା ମୁତାବକ, ଜେଆରଟି କମ୍ପାନୀରେ କାର୍ଯ୍ୟରତ ଥିବା ୧୩୮ ଜଣ ଶ୍ରମିକଙ୍କୁ ଗତ ୩ ମାସ ହେଲା ସେମାନଙ୍କର ପ୍ରାପ୍ୟ ସହିତ ଦଶହରା ବୋନସ, ଇପିଏଫ୍ ଏବଂ ଗ୍ରାଚୁଆଟି ଦେଉନାହିଁ। ଯାହା ଫଳରେ କର୍ମଚାରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏପରିକି କମ୍ପାନୀର ଅଧିକାରୀଙ୍କୁ ଏହା ବାବଦରେ ଅଭିଯୋଗ କଲେ କମ୍ପାନୀ ପକ୍ଷରୁ ବିଭିନ୍ନ ଧମକ ଦେବା ସହିତ ଟଙ୍କା ଦିଆଯିବ ନାହିଁ ବୋଲି ସିଧା କହି କର୍ମଚାରୀଙ୍କୁ ଭଗାଇ ଦେୁତିବା ଅଭିଯୋଗ କରିଛନ୍ତି। ଏଭଳି ଘଟଣା ହେବାରୁ ଆଜି କମ୍ପାନୀର କାର୍ଯ୍ୟରତ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ଅନନ୍ତ କୋଇଲା ଖଣିରେ ଥିବା ଜେଆରଟି କମ୍ପାନୀର କାର୍ଯ୍ୟାଳୟକୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ତ୍ରିନାଥ ସାହୁ, ସୁଶାନ୍ତ ସାହୁ, ଜଗଦିଶ ମହାନ୍ତି, ମନୋଜ ସାହୁ, ବିଜୟ ଆଇଚ, ଘନଶ୍ୟାମ ବେହେରା, ଲିଟନ କାଞ୍ଜି, ଦୋଳ ନାଏକ, ସୂର୍ଯ୍ୟକାନ୍ତ ସାହୁ, ପଟେଲ ପ୍ରଧାନଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲେ।
