
“ଜନ୍ମ କଲା ପୁଅ ପର କରିଦେଲା, ଦଶ ମାସ ଦଶ ଦିନ ଗର୍ଭରେ ଧରିଥିବା ମାଆକୁ ଆଜି ରାଜରାସ୍ତାକୁ ଟାଣି ଆଣିଲା ।” ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୫ ନମ୍ବର ୱାର୍ଡ ଅନ୍ତର୍ଗତ ଶେଣ ସାହିରେ । ୭୦ ବର୍ଷୀୟା ବୃଦ୍ଧା ମାଆ କୋକିଳ ସାହୁ ଏବଂ ୭୫ ବର୍ଷୀୟ ରୋଗୀଣା ବାପା ରମେଶ ସାହୁ ପୁଅର ଅତ୍ୟାଚାର ସହି ନପାରି ଶେଷରେ ନ୍ୟାୟ ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ, କୋକିଳ ଓ ରମେଶଙ୍କର ତିନି ପୁଅ । ସମସ୍ତେ ଗୋଟିଏ ଛାତ ତଳେ ରହୁଥିଲେ ମଧ୍ୟ ବଡ଼ ପୁଅ ବାବୁଲି ସାହୁ ଦୀର୍ଘ ଦିନ ହେବ ବାପା-ମାଆଙ୍କୁ ଅବହେଳା କରିଆସୁଥିଲେ । ବୃଦ୍ଧ ବୟସରେ ରମେଶ ମୁଲ ଲାଗି ଯାହା ରୋଜଗାର କରନ୍ତି, ସେଥିରେ ସ୍ୱାମୀ-ସ୍ତ୍ରୀ ଅଲଗା ଚୁଲି କରି ନିଜ ପେଟ ପୋଷୁଥିଲେ । ମାତ୍ର ବଡ଼ ପୁଅର ଅତ୍ୟାଚାର ଏତିକିରେ ସୀମିତ ରହିନଥିଲା; ସେ ବାପା-ମାଆଙ୍କୁ ମାଡ଼ ମାରିବା ସହ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି ।
କେବଳ ସେତିକି ନୁହେଁ, ଯଦି ସାନ କିମ୍ବା ମଝିଆ ପୁଅ ବାପା-ମାଆଙ୍କୁ ଖାଇବାକୁ ଦିଅନ୍ତି ବା ଦୁଇ ଝିଅ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି, ତେବେ ବଡ଼ ପୁଅ ସେମାନଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଜଣାପଡିଛି । ପରିଣତ ବୟସରେ ନାତି ନାତୁଣୀଙ୍କ ସହ ସମୟ କାଟିବା ପରିବର୍ତ୍ତେ, ପୁଅର କ୍ରୁରତା ଯୋଗୁଁ ବୃଦ୍ଧ ଦମ୍ପତ୍ତି ଆଜି ଅସହାୟ ଭାବେ କାନ୍ଦି କାନ୍ଦି ଅଫିସରୁ ଅଫିସ ଧାଉଁଛନ୍ତି ।
ବୃଦ୍ଧ ଦମ୍ପତ୍ତିଙ୍କ ଏହି କରୁଣ କାହାଣୀ ଶୁଣିବା ପରେ ଢେଙ୍କାନାଳ ଜିଲ୍ଲାପାଳ ତୁରନ୍ତ ଘଟଣାର ତଦନ୍ତ କରିବାକୁ ଉପ-ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଗଲେ ଏହି ଅସହାୟ ବାପା-ମାଆଙ୍କୁ ନ୍ୟାୟ ମିଳିପାରିବ ବୋଲି ଆଶା କରାଯାଉଛି ।
