
ତାଇୱାନକୁ ନେଇ ଚୀନ ଏବଂ ଜାପାନ ମଧ୍ୟରେ ତିକ୍ତତା ବଢ଼ିଛି। ଜାପାନରୁ ଆସୁଥିବା ସମସ୍ତ ସାମୁଦ୍ରିକ ଖାଦ୍ୟ ଉପରେ ଚୀନ କଟକଣା ଲଗାଇଛି। ଏଥିଯୋଗୁ ଭାରତୀୟ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିଛି । ଭାରତୀୟ ରପ୍ତାନିକାରିଙ୍କ ଶେୟାରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏଭଳି ନିଷ୍ପତ୍ତି ଯୋଗୁ ଚୀନ ବଜାରରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଅଭାବ ଦେଖାଯିବ ବୋଲି ଆଶଙ୍କା କରାଯାଉଛି । ଏହି ଚାହିଦା ପୂରଣ କରିବା ଲାଗି ଭାରତ ଭଳି ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ଦେଶ ଗୁଡ଼ିକ ବର୍ତ୍ତମାନ ତତ୍ପରତା ଦେଖାଇଛନ୍ତି । ଫଳରେ ଭାରତୀୟ ସିଫୁଡ୍ କମ୍ପାନିରେ ଶେୟାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି । ତେଲଙ୍ଗାନାର ଅବନ୍ତି ଫିଡ୍ସର ଶେୟାର ପ୍ରାୟ ୧୦% ବୃଦ୍ଧି ପରିଲକ୍ଷିତ ହୋଇଛି । ଗତ ୨ ମାସ ମଧ୍ୟରେ ଏହା ସବୁଠାରୁ ବଡ ବୃଦ୍ଧି । ଅନ୍ୟ ଏକ କମ୍ପାନି କୋଷ୍ଟାଲ କର୍ପୋରେସନର ଶେୟାର ୫% ବୃଦ୍ଧି ହୋଇଛି । କମ୍ପାନି ଏପ୍ରିଲ ମାସରେ କହିଥିଲା ଯେ, ଏହା ଚୀନକୁ ରପ୍ତାନି ବଢ଼ାଇବ ।
ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ଏକ ବୟାନକୁ ନେଇ ଚୀନ ଏବଂ ଜାପାନ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ତାକାଇଚି କହିଥିଲେ, ଚୀନ ତାଇୱାନ ଉପରେ ଆକ୍ରମଣ କଲେ ଜାପାନ ସହାୟତା ଲାଗି ସେନା ପଠାଇବ । ଚୀନ ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲା ଯେ, ଏହା ଦାୟିତ୍ୱହୀନତା ଏବଂ ଉଷୁକେଇବା ଭଳି କାମ । ଏହାର ଗୋଟିଏ ଦିନ ପରେ ବିବାଦ ଆହୁରି ବଢ଼ି ଯାଇଥିଲା । ଏହି ମାମଲାରେ ଦଖଲ ଦେଉଥିବା ବ୍ୟକ୍ତି ବିଶେଷଙ୍କ ମୁଣ୍ଡ କାଟ କରିବାକୁ ଜାପାନରେ ଅବସ୍ଥାପିତ ଚୀନ ବାଣିଜ୍ୟଦୂତ ସୁଏ ଜିଆନ ଏକ୍ସରେ ଲେଖିଥିଲେ । ଏହା ପରେ ଉଭୟ ଦେଶ ନିଜ ଦେଶର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଥିଲେ । ଜାପାନ ଗଲେ ସମସ୍ୟା ସାମ୍ନା କରିବାକୁ ପଡିପାରେ ବୋଲି ଚୀନ ଏହାର ନାଗରିକଙ୍କୁ ସତର୍କ କରାଇଥିଲା । ଏଭଳି ସ୍ଥିତିରେ ଏଭଳି ବିବାଦ ଭାରତ ବଜାର ଲାଗି ସୁଯୋଗ ଆଣିପାରେ ବୋଲି କୁହାଯାଉଛି । ଆମେରିକା ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ୫୦% ଟାରିଫ ଲାଗୁ କରିଛି । ଫଳରେ ଆମେରିକା ବଜାରକୁ ରପ୍ତାନି ଅକ୍ଟୋବର ମାସରେ ୯% ହ୍ରାସ ହୋଇଛି ।
ଏକ ରିପୋର୍ଟ ମୁତାବକ, ଚୀନ, ଭିଏତନାମ ଏବଂ ଥାଇଲାଣ୍ଡ ଭଳି ଦେଶକୁ ଭାରତର ସିଫୁଡ ରପ୍ତାନି ବଢ଼ୁଛି । ଗତ ଆର୍ଥିକ ବର୍ଷରେ ଭାରତ ୬୧ ହଜାର କୋଟି ଟଙ୍କାର ସିଫୁଡ ରପ୍ତାନି କରିଥିଲା । ଏଥିମଧ୍ୟରେ ଅଧିକାଂଶ ଭାଗ ଚିଙ୍ଗୁଡି ଏବଂ ଫ୍ରୋଜେନ ଫିସ୍ ରହିଥିଲା । ଭାରତୀୟ ସିଫୁଡ ଲାଗି ଆମେରିକା ଏବେ ମଧ୍ୟ ପ୍ରମୁଖ ବଜାର ରହିଛି । ୱାଲମାର୍ଟ ଏବଂ ଫ୍ରୋଗର ଭଳି କମ୍ପାନି ଭାରତୀୟ ସାମଗ୍ରୀ ବଡ ମାତ୍ରାରେ କିଣିଥାନ୍ତି । ଜାପାନ ଲାଗି ଚୀନ ବଜାର ବନ୍ଦ ଏକ ବଡ ଝଟକା । ଜାପାନ ଏହାର ମୋଟ ସିଫୁଡ ମଧ୍ୟରେ ୧୫ରୁ ୨୦% ଚୀନକୁ ପଠାଇଥାଏ । ୨ ବର୍ଷ ବ୍ୟବଧାନ ପରେ ଜାପାନ ନିକଟରେ ଚୀନକୁ ରପ୍ତାନି ପୁଣି ଥରେ ଆରମ୍ଭ କରିଥିଲା । ୨୦୨୩ରେ ଚୀନ ଜାପାନର ସିଫୁଡକୁ ବ୍ୟାନ କରିଥିଲା ।

