
ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ରାଜ୍ୟ ସରକାର । ଏହାଠାରୁ ଅଧିକ ଧାନ ମଣ୍ଡିକୁ ଧାନ ଆସିଲେ ବି ପଞ୍ଜିକୃତ ଚାଷୀଙ୍କଠାରୁ କିଣାଯିବ । ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ ଧାନ ସଂଗ୍ରହ ହେବ । ଖରିଫରେ ୭୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ମେ’ରୁ ରବି ଧାନ ସଂଗ୍ରହ ଆରମ୍ଭ ହେବ । ରବି ଋତୁରେ ୨୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଧାନ ସଂଗ୍ରହ ପାଇଁ ନୀତି ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏକ କ୍ୟାବିନେଟ ଉପକମିଟି/ଆନ୍ତଃ ମନ୍ତ୍ରିସ୍ତରୀୟ କମଟି ସଂଗ୍ରହଣ ନୀତିର କାର୍ଯ୍ୟାନ୍ବୟନ କରିବେ । ଆବଶ୍ୟକ ପଡ଼ିଲେ ସାମଗ୍ରିକ ଧାର୍ଯ୍ୟ ଲକ୍ଷ୍ୟ ସଂଶୋଧନ ହେବ । ସେହିପରି ସରକାରଙ୍କୁ ଧାନ ବିକ୍ରି ପାଇଁ ଚାଷୀଙ୍କ ଏକମାତ୍ର ପରିଚୟପତ୍ର ହେବ ଆଧାର । ପଞ୍ଜିକୃତ ଚାଷୀଙ୍କୁ ଆଗୁଆ ଧାନ ସଂଗ୍ରହ, ଧାନର ପରିମାଣ ନେଇ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯିବ । ସାଧାରଣ ଧାନ କୁଇଣ୍ଚାଲ ପିଛା ଏମଏସପି ୨,୩୬୯ ଟଙ୍କା ଓ ଗ୍ରେଡ-A ଧାନ ପାଇଁ କୁଇଣ୍ଟାଲ ପିଛା ୨୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି । ଯଦି କୌଣସି ମିଲରଙ୍କ ବକେୟା ଦେୟ ଥାଏ ତେବେ ତାଙ୍କୁ ଆଗାମୀ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯିବନାହିଁ ବୋଲି ନିଷ୍ପତ୍ତି ହୋଇଛି।
