
ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବ୍ରେକ୍ ଫେଲ୍ ହେବାରୁ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା କଳାକାରଙ୍କ ଜିପ୍। ଦୁର୍ଘଟଣାରେ ୬ ଜଣ କଳାକାର ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଲାଠୋର ଅଞ୍ଚଳର ଏକ ଧନୁଯାତ୍ରା ନାଟକ ପାର୍ଟି ରାଇଘର ବ୍ଲକ ମୁଣ୍ଡିବେଡ଼ା ଅଞ୍ଚଳରେ କାର୍ଯ୍ୟକ୍ରମ ସାରି ନିଜ ଘରକୁ ଫେରୁଥିଲେ। ତେବେ ଜିପ୍ଟି ଝରିଗାଁ ଘାଟି ଦେଇ ଯାଉଥିବା ସମୟରେ ହଠାତ୍ ଘାଟିରେ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଫଳରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଗାଡ଼ିରେ ଥିବା ୮ ଜଣ କଳାକାରଙ୍କ ମଧ୍ୟରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟଲୋକଙ୍କ ଠାରୁ ଖବର ପାଇ ଚନ୍ଦାହାଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ ଜିପ୍ଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି।
