
ମାଲକାନଗିରି ଜିଲ୍ଲା ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ । ଘଟଣାସ୍ଥଳରେ କାଲିମେଳା ପୁଲିସର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି । ସେପଟେ ସ୍ବାଭାବିକ ହେଉଛି ମାଲକାନଗିରିର ଏମ୍ ଭି-୨୬ ଓ ରାଖେଲଗୁଡ଼ା । ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି ।
ସୂଚନା ମୁତାବକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଗାଁର ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ବୈଠକ ବସିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତଙ୍କର ଦାବି ଶୁଣିଥିଲେ ଜିଲ୍ଲାପାଳ। ଡିଆଇଜି ଓ ଏସପିଙ୍କ ଉପସ୍ଥିତିରେ ଶାନ୍ତି ଫେରାଇବାକୁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି। ବିଗତ ୨୪ ଘଣ୍ଟାରେ ଗାଁରେ ଆଉ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ଉପୁଜିନାହିଁ। ପୁଲିସ-ପ୍ରଶାସନ ଉପସ୍ଥିତିରେ ୫ ଦିନ ପରେ ମୃତ ମହିଳାଙ୍କ ହେଲା ଅନ୍ତିମ ସତ୍କାର କରାଯାଇଛି। ସୂଚନା ଥାଉକି,କିଛି ଦିନ ତଳେ ରାଖାଲଗୁଡ଼ା ଗାଁର ଜଣେ ୫୦ ବର୍ଷୀୟା ଆଦିବାସୀ ମହିଳା, ଲାକେ ପାଡିଆମିଙ୍କ ମୃତଦେହ ପୋଟେରୁ ନଦୀ କୂଳରୁ ମିଳିଥିଲା । ହେଲେ ମୃତଦେହର ମୁଣ୍ଡ ନଥିଲା। ରାଖାଲଗୁଡ଼ା ଗାଁର ଲୋକେ ସନ୍ଦେହ କରୁଛନ୍ତି ଯେ ଏମଭି-୨୬ ଗାଁର କିଛି ଲୋକ ପୁରୁଣା ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ।
