
ଜଗତସିଂହପୁର : ଜଗତସିଂହପୁରରେ ଚାଞ୍ଚଲ୍ୟ। ଘର ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଚୋଟ ପରେ ଚୋଟ ମାରି ଗୁରୁତର କରି ପକାଇଛି। ଘର ମାଲିକଙ୍କ ଶରୀରରେ ୧୫ରୁ ଅଧିକ ଚୋଟ ବାଜିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇ ପଡିଛି। ଗୁରୁତର ଅବସ୍ଥାରେ ଘର ମାଲିକଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଜଗତସିଂହପୁରରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି | ଆହତ ଘର ମାଲିକ ହେଲେ ଆରଟିଓ ଛକ ନିକଟରେ ରହୁଥିବା ରମାକୃଷ୍ଣ ମହାନ୍ତି | ତାଙ୍କ ପତ୍ନୀ ଓ ଝିଅ ବେକରୁ ସୁନାଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରାମକୃଷ୍ଣଙ୍କର ଜଣେ ସମ୍ପର୍କୀୟଙ୍କ କହିବା ଅନୁସାରେ ଆକ୍ରମଣକାରୀ ଭଡାଟିଆ ପ୍ରାୟ ଦେଢ ବର୍ଷ ହେଲା ସେଠାରେ ଭଡାରେ ରହୁଛି। ସେ ପାରାଦୀପ ଅଞ୍ଚଳରେ ଚାକିରି କରେ। ଆଜି ରାତି ପ୍ରାୟ ୧୧ଟାରୁ ୧୧ଟା ୧୫ ଭିତରେ ଭଡାଟିଆ ରାମକୃଷ୍ଣଙ୍କ ଘରେ ପଶି ପ୍ରଥମେ ତାଙ୍କ ବେକରୁ ସୁନାଚେନ୍ ଭିଡି ନେଇଥିଲା। ରାମକୃଷ୍ଣ ପ୍ରତିବାଦ କରିବାରୁ ଭଡାଟିଆ ହାତରେ ଧରିଥିବା ଭୁଜାଲି ଭଳି ମାରଣାସ୍ତ୍ର ବାହାର କରିଥିଲା। ରାମକୃଷ୍ଣଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲା। ମୁଣ୍ଡ, ମୁହଁ, ହାତ, ଛାତି, ପେଟ ସମେତ ଶରୀରରେ ପ୍ରାୟ ୧୫ରୁ ଅଧିକ ଚୋଟ ବାଜିଥିଲା। ଯାହାଫଳରେ ରକ୍ତ ଜୁଡୁବୁଡୁ ହୋଇ ସେ ତଳେ ପଡି ଯାଇଥିଲେ। ଏହା ପରେ ଆକ୍ରମଣକାରୀ ଭଡାଟିଆ ରାମକୃଷ୍ଣଙ୍କ ଝିଅ ବେକରୁ ସୁନାଚେନ୍ ଲୁଟି ଫେରାର ହୋଇ ଯାଇଥିଲା। ପରିବାର ଲୋକ ପାଟି କରିବାରୁ ଚିତ୍କାର ଶୁଣି ପଡୋଶୀ ପହଞ୍ଚିଥିଲେ। ପଡୋଶୀ, ସମ୍ପର୍କୀୟ ମାନେ ତୁରନ୍ତ ଜଗତସିଂହପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଆଣିବା ସହ ପୁଲିସକୁ ଖବର ଦେଇଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ରାତି ପ୍ରାୟ ୧୨ଟାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଫେରାର ଆକ୍ରମଣକାରୀ ଭଡାଟିଆକୁ ଖୋଜୁଛି। ଆକ୍ରମଣର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ଯ ଲୁଟ୍ ପାଇଁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
