
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ଅଭିମନ୍ୟୁପୁର ସାହିରେ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଡକାୟତି। ଦୁଇ ଜଣଙ୍କ ଘରୁ ଲୁଟିନେଲେ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଗହଣା ସହ ୨ ଲକ୍ଷ ୫୦ ହଜାର ନଗଦ ଟଙ୍କା।ଏଥିସହିତ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇବା ସହ ଦୁର୍ବୁତ୍ତ ମାନେ ଖୋଲି ଦେଲେ ସିସିଟିଭି କ୍ୟାମେରା। ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଛି ଡକାୟତି ସମୟର ସମ୍ପୂର୍ଣ୍ଣ ଘଟଣା। ପ୍ରାୟ ୮ ଜଣ ଦୁର୍ବୁତ୍ତ ବନ୍ଧୁକ ଓ ମାରଣାସ୍ତ୍ର ଧରି କରିଥିଲେ ଆକ୍ରମଣ। ପ୍ରଥମେ ରମେଶ ମହାପାତ୍ରଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପରେ ଗଗନ ମହାପାତ୍ରଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗିବା ସହ ତାଙ୍କ ଘରେ ପଶି କବାଟକୁ ଗୁଳି ଚାଳନା କରିଥିଲେ। ଏପରିକି ତାଙ୍କ ଘରେ ଥିବା ଗୋଟିଏ ରୁମରେ ପ୍ରାୟ ୧୫ ଜଣ ପିଲା ଟିଉସନ ହେଉଥିଲେ। ସେମାନେ ମଧ୍ୟ ଭୟଭୀତ ହୋଇ ଯାଇଥିବା ଜଣାପଡିଛି। ଏବଂ ଘର ଭିତରେ ବସିଥିବା ଜଣେ ବୃଦ୍ଧାଙ୍କୁ ବନ୍ଧୁକ ଦେଖାଇ ତାଙ୍କ କାନ ଫୁଲକୁ ଦୁର୍ବୁତ୍ତ ମାନେ ନେଇ ଯାଇଥିଲେ। ଏ ନେଇ ପରଜଙ୍ଗ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

