
ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଦ୍ୱାରା ଦହିବରା ହାଟ ହୋଇଥିଲାବେଳେ ତାହା କେବଳ ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି । କାରଣ ତଳ ପଡ଼ିଆରେ ଏଭଳି ଏକ ସ୍ଥାନରେ ଷ୍ଟଲ୍ ଦିଆଯାଇଛି ଯାହାକୁ ଖୋଜି ବୁଲୁଛନ୍ତି ଲୋକେ । ଯେଉଁଠି ପୂର୍ବରୁ ଦହିବରା ବ୍ୟବସାୟୀମାନେ ଦିନକରେ ଧୁମ୍ ବେପାର କରୁଥିଲେ ଏଥର ତାହାର ଅଧା ବେପାର ହେଉ ନ ଥିବାରୁ ଏହା ବ୍ୟବସାୟୀଙ୍କୁ ନିରାଶ କରିଛି ।
କଟକ ସହରର ବିଭିନ୍ନ ନାମୀଦାମୀ ଦହିବରା ବ୍ୟବସାୟୀଙ୍କୁ ନେଇ ଦହିବରା ହାଟ କରିଛି ପ୍ରଶାସନ । ବାଲିଯାତ୍ରା ପୂର୍ବରୁ ଏନେଇ ପ୍ରଶାସନ ଡିଙ୍ଗୁରା ପିଟିଥିଲା । କିନ୍ତୁ ବାଲିଯାତ୍ରାକୁ ତିନି ଦିନ ପୂରିବାକୁ ବସିଥିଲାବେଳେ ଆଶା ମୁତାବକ ବେପାର କରିପାରୁନାହାନ୍ତି ବ୍ୟବସାୟୀ । କାରଣ ଓରମାସ୍ ଓ କଟକ ଇନ୍ କଟକ ମଝିରେ ଗଳି ଭିତରେ ଷ୍ଟଲ୍ ପଡ଼ିଛି । ଯାହା ଅନେକ କିଣାକିଣି ସାମଗ୍ରୀ ଭିତରେ ଖାଇବା ଷ୍ଟଲ୍ ପଡ଼ିଥିବାରୁ ହଠାତ୍ ଏହା ଦହିବରା ହାଟ ବୋଲି ଅନୁମାନ କରିବା ମୁସ୍କିଲ୍ ହୋଇପଡୁଛି । କିନ୍ତୁ ତାହାରି ମଧ୍ୟରେ ରିଂବନ୍ଧ ରାସ୍ତା ପାଶ୍ୱର୍କୁ ମୁହଁ କରି ବାବୁଲା ଦହିବରା, ଏ ୱାନ୍ ପ୍ରତାପ ଦହିବରା, ତ୍ରିନାଥ ଦହିବରା ଓ ରଘୁ ଦହିବରା ଭଳି ୪ଟି ଷ୍ଟଲ୍ ପଡ଼ିଛି । ପୂର୍ବରୁ ଉପର ପଡ଼ିଆରେ ବେପାର କରୁଥିଲାବେଳେ ଏଥର ଅନେକ ସ୍ୱପ୍ନ ଦେଖାଇ ଆଣିଥିବା ପ୍ରଶାସନ କୋଣଠେସା କରି ଭୁଲିଯାଇଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ।
