
ତାଳଚେର ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ରେଳ ୱାଗନରେ ପାଲ ଭିଡା ଦାବି ନେଇ ଡେରା ଶ୍ରମିକ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଆସନ୍ତା ୨୯ ତାରିଖ ଦିନ ଏକ ଦାବିପତ୍ର ରେଳ ବିଭାଗର କତ୍ତୃପକ୍ଷଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଖୁବ ଶୀଘ୍ର କୋଇଲା ବୋଝେଇ ରେଳ ୱାଗନରେ ପାଲ ଭିଡା ନଗଲେ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓଲ୍ହାଇବାକୁ ଚେତାବନୀ ଦେଇଛି ସଂଗଠନ ।ହାଣ୍ଡିଧୂଆଁ ରେଳ ଫାଟକ ନିକଟରେ ସମସ୍ତ କୋଇଲା ବୋଝେଇ ଟ୍ରେନକୁ ଅଟକାଇ ରେଳରୋକ ଆନ୍ଦୋଳନ କରିବ ସଂଗଠନ । ସୂଚନା ଅନୁସାରେ କୋଇଲା ବୋଝେଇ ଟ୍ରେନରେ ପାଲ ଭିଡ଼ିବାକୁ ନେଇ ସଂଗଠନ ପକ୍ଷରୁ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲେ ମଧ୍ୟ ଏଥି ପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କୋଇଲା ବୋଝେଇ ଟ୍ରେନରୁ ଧୂଳି ଧୂଆଁ ଉଡି ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଏହି କୋଇଲା ବୋଝେଇ ରେଳ ୱାଗନ ରେ ପାଲ ଭିଡା ହେବା ଦ୍ୱାରା ତାଳଚେରରେ ପ୍ରଦୂଷଣର ମାତ୍ରା କମିବା ସହ ବେକାର ଯୁବକମାନେ ନିଯୁକ୍ତି ପାଇପାରିବେ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସବୁଠି ମାଲବାହୀ ଟ୍ରେନରେ ପାଲ ଭିଡା ଯାଇ ଟ୍ରେନ ଚଳାଚଳ କରୁଥିବା ବେଳେ ତାଳଚେରରେ ବାରମ୍ବାର ଦାବି ଆପତ୍ତି କଲେ ମଧ୍ୟ କାହିଁକି ପାଲ ଭିଡା ଯାଉନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛି ସଂଗଠନ ।

