
କେଦାରନାଥ ଧାମର କପାଟ ଆଜି ସକାଳ ୮.୩୦ରେ ଶୀତକାଳ ପାଇଁ ବନ୍ଦ କରାଯାଇଛି । ଏହା ସହିତ ଆଗାମୀ ୬ ମାସ ଯାଏଁ ଧାମ ବନ୍ଦ ରହିବ । କପାଟ ବନ୍ଦ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।
କପାଟ ବନ୍ଦ ହେବା ପରେ ବାବା କେଦାରଙ୍କ ଚଳ ଡୋଲି ଉଖିମଠର ଓଁକାରେଶ୍ବର ମନ୍ଦିରକୁ ବାହାରିଛି, ଯେଉଁଠି ୬ ମାସ ଯାଏଁ ପୂଜା ହେବ । ଡୋଲି ଆଜି ରାମପୁରରେ ବିଶ୍ରାମ କରି ୨୪ ଅକ୍ଟୋବରରେ ଗୁପ୍ତକାଶୀ ଓ ୨୫ ଅକ୍ଟୋବରରେ ଓଁକାରେଶ୍ବର ମନ୍ଦିର ପହଞ୍ଚିବ ।
ଏହିବର୍ଷ ଖରାପ ପାଣିପାଗ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରା ଅନେକବାର ବାଧାପ୍ରାପ୍ତ ହୋଇଥିଲା । ତଥାପି ଏହିବର୍ଷ ୧୬.୫୬ ଲକ୍ଷ ଶ୍ରଦ୍ଧାଳୁ କେଦାରନାଥ ଏବଂ ୧୪.୫୩ ଲକ୍ଷ ଭକ୍ତ ବଦ୍ରିନାଥ ଦର୍ଶନ କରିଥିଲେ
