
ଭାରତର ଉତ୍ତର ଭାଗରେ ପ୍ରବଳ ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ ଶୀତ ଓ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କୁହୁଡି ସହ ବିଷାକ୍ତ ସ୍ମଗ୍ କାରଣରୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ହ୍ରାସ ଫଳରେ ଆଜି ୧୦ଟି ବିମାନ ବାତିଲ କରାଯାଇଥିବା ବେଳେ ୧୫୦ରୁ ଅଧିକ ବିମାନର ଉଡ଼ାଣ ବିଳମ୍ବିତ ହୋଇଛି । ଟ୍ରେନ ଚଳାଚଳ ମଧ୍ୟ ହୋଇଛି ବାଧାପ୍ରାପ୍ତ । ବାରଣାସୀରୁ ଦିଲ୍ଲୀ ଯାଏଁ ପାଗ କୋହଲା ସହ କୁହୁଡି ବଳୟରେ ରହିଛି ।
ଘନ କୁହୁଡି କମ୍ ଦୃଶ୍ୟତାର ସିଧାସଳଖ ପ୍ରଭାବ ଦିଲ୍ଲୀ ବିମାନବନ୍ଦରରେ ପଡିଛି । ସୋମବାର ୫୦୦ରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଥିଲେ । ସେହିପରି ୧୪ଟି ବିମାନକୁ ରବ୍ଦ କରିଦିଆଯାଇଛି । ଏଥିରେ ଅନେକ ଅନ୍ତରାଷ୍ଟ୍ରୀୟ ବିମାନ ମଧ୍ୟ ରହିଛି । ଅନେକ ବିମାନ ବିଳମ୍ବ ହେବା ଆଶଙ୍କା ରହିଛି । ଦିଲ୍ଲୀ ଏୟାରପୋର୍ଟ ଯାତ୍ରୀଙ୍କୁ ଆଲର୍ଟ କରି କହିଛି କି, ଘନ କୁହୁଡି ଯୋଗୁଁ ବିମାନ ଅପରେସନ କ୍ୟାଟ୍-୩ରେ ରହିଛି । ଏଥିପାଇଁ ଉଡ଼ାଣ ଏବଂ ସଂଚାଳନରେ ବାଧା ଉପୁଜିଛି । ଯାତ୍ରୀଙ୍କୁ ହେଉଥିବା ଅସୁବିଧା ଯୋଗୁଁ ସମ୍ବନ୍ଧୀୟ ସମସ୍ତ ଏଜେନ୍ସୀ ଲଗାତାର କାମ କରୁଛି ।
ଏହାକୁ ଦେଖି ସ୍ପାଇସଜେଟ ସହିତ ଅନ୍ୟ ଏୟାରଲାଇନ୍ସର ଯାତ୍ରୀଙ୍କୁ ଆଲର୍ଟ କରି ସମୟ ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିବା ପରାମର୍ଶ ଦେଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘରୋଇ ଏୟାରଲାଇନ ସ୍ପାଇସଜେଟ ଆଡଭାଇଜରୀ ଜାରି କରିଛି । ବିମାନ ଗୁଡିକର ଲିଷ୍ଟ ଦେଇ ବିଳମ୍ବ ହେବା ଆଶଙ୍କା ଜଣାଇବା ସହିତ ଡାଇଭର୍ଟ ହେବାର ଆଶଙ୍କା ଜାରି କରିଛି ।
